ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି। ସରପଞ୍ଚଙ୍କ ଅନୁପସ୍ଥିତିରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରୁକଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ। ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ସରକାରୀ ଅର୍ଥ ବ୍ୟବହାରକୁ ନେଇ ଅନିୟମିତତା ହେଉଥିବା ୱାର୍ଡ ସଭ୍ୟ ଅଭିଯୋଗ କରିଥିଲେ ଏବଂ ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ମତ ଅନୁଯାୟୀ ଗ୍ରାମ ପଞ୍ଚାୟତର ନିୟମିତ ମାସିକ ବୈଠକ, ପଲ୍ଲୀ ସଭା, ଗ୍ରାମ ସଭା ଆୟୋଜନ ନକରି ବିଭିନ୍ନ କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟପାଟଣାଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏବଂ କମ୍ପୁଟର ପ୍ରୋଗ୍ରାମର ଉପସ୍ଥିତ ରହି ବିଭିନ୍ନ ତଥ୍ୟ ଓ ରେକର୍ଡ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ମାସିକ ବୈଠକ ଖାତା, ପଲ୍ଲୀ ସଭା ଖାତା ଓ ଗ୍ରାମ ସଭା ଖାତା ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ସେଗୁଡିକ ହୋଇ ପାରିନଥିବା ଜଣାପଡିଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ବେଶ୍ରା ବିଭିନ୍ନ ରେକର୍ଡ ଦୁଇ ଦିନ ମଧ୍ୟରେ ଦାଖଲ କରିବେ ବୋଲି କହିଥିବା ଜଣାପଡିଛି।





