ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି  

ଓଡ଼ିଆ ବାର୍ତ୍ତା/ ବୋଡେ଼ନ (ରିଖିରାମ ଦଳ): ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।‌ ଜିଲ୍ଲାପାଳ ଶ୍ରୀ ଦାଶ ସାଇକେଲ୍‌ରେ ଶିବିରସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ।‌ ଶିବିରରେ ମୋଟ ୧୧୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୮୯ଟି ବ୍ୟକ୍ତିଗତ, ୨୭ଟି ଗୋଷ୍ଠୀଗତ ଏବଂ ୩ଟି ରେଡ୍‌କ୍ରସ୍‌ ରହିଥିଲା। ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଶିବିରରେ ପଞ୍ଜୀକୃତ ଅଭିଯୋଗଗୁଡ଼ିକୁ ଜିଲ୍ଲାପାଳ ଗୁରୁତ୍ୱର ସହ ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଦାଖଲ ହୋଇଥିବା ଅଭିଯୋଗଗୁଡ଼ିକର ସ୍ଥିତି ସମୀକ୍ଷା କରି ବିଚାରାଧୀନ ଅଭିଯୋଗଗୁଡ଼ିକୁ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।‌ ପ୍ରବାସୀ ଶ୍ରମିକ ପରିବାରଗୁଡ଼ିକ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଚିହ୍ନଟ ଓ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ମଧ୍ୟ ଏକ ସହାୟତା ଡେସ୍କ ଖୋଲାଯାଇ ଲୋକଙ୍କୁ ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ସୂଚନା ଓ ସହାୟତା ପ୍ରଦାନ କରାଯାଇଥିଲା। ରେଡ୍‌କ୍ରସ୍‌ ପାଣ୍ଠିରୁ ଯଦୁରାମ ସାହୁ, ମୋତିରାମ ସତନାମୀ ଓ ହୃଷୀକେଶ ରଣାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।‌ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ବନ୍ୟଜନ୍ତୁ) ସମୀର ସାହୁ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ରୋଶନ ଜେନା ଏବଂ ନୂଆପଡ଼ା ବିଡିଓ ରୋହିତ ଭୋଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍‌ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.