ସ୍ୱାସ୍ଥ୍ୟକେନ୍ଦ୍ରରୁ ଗାଡ଼ି ଆସିବାରେ ବିଳମ୍ବ: ପୁଲିସ ଗାଡ଼ିରେ ଶବ ନେଲେ ଥାନାଧିକାରୀ

ଓଡ଼ିଆ ବାର୍ତ୍ତା/ ବୋଡେ଼ନ (ରିଖିରାମ ଦଳ): ନୂଆପଡା ଜିଲ୍ଲା ସିନାପାଲି ଥାନା ଅଧୀନ ତିଲେଇମାଲ ଗ୍ରାମରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଦୀର୍ଘ ସମୟ ଧରି ଗାଡ଼ି ନ ପହଞ୍ଚିବାରୁ ସିନାପାଲି ଥାନାଧିକାରୀ ମହେଶ୍ୱର ପାଣିଗ୍ରାହୀ ନିଜେ ପୁଲିସ ଗାଡ଼ିରେ ଦୁଇ ନାବାଳିକାଙ୍କ ମୃତଦେହକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପହଞ୍ଚାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତିଲେଇମାଲ ଗ୍ରାମର ଦୁଇ ନାବାଳିକା ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଖବର ପାଇ ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ନିମନ୍ତେ ହସ୍ପିଟାଲ ପକ୍ଷରୁ ଗାଡ଼ି ଯୋଗାଇଦେବାକୁ ଯୋଗାଯୋଗ କରାଯାଇଥିଲା। ହେଲେ ଦୀର୍ଘ ସମୟ ଧରି ଗାଡ଼ି ନ ପହଞ୍ଚିବାରୁ ଥାନାଧିକାରୀ ମହେଶ୍ୱର ପାଣିଗ୍ରାହୀ ମାନବିକତାର ପରିଚୟ ଦେଇ ପୁଲିସ ଗାଡ଼ିରେ ମୃତଦେହ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଥାନାଧିକାରୀଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିବାବେଳେ, ମୃତଦେହ ନେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ଗାଡ଼ି ପହଞ୍ଚିବାରେ ବିଳମ୍ବ ହେବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.