ଓଡ଼ିଆ ବାର୍ତ୍ତା/ ବୋଡେ଼ନ (ରିଖିରାମ ଦଳ): ସୋମବାର ସକାଳୁ ସକାଳୁ ନୂଆପଡ଼ା ଉପ-କାରାଗାରରେ ଦେଖାଦେଇଛି ତୀବ୍ର ଉତ୍ତେଜନା। କାରାଗାର ପରିସରରେ ନିୟମିତ ସଫେଇ କାର୍ଯ୍ୟ ଚାଲିଥିବା ସମୟରେ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫେରାର କଏଦୀ ଜଣକ ସିନାପାଲି ଥାନା ଅନ୍ତର୍ଗତ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ମାଝୀ, ବୟସ ୩୦ ବର୍ଷ ବୋଲି ଚିହ୍ନଟ ହୋଇଛି।
ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୮ଟା ସମୟରେ ଉପ-କାରାଗାର ପରିସରରେ ସଫେଇ କାମ ଚାଲିଥିଲା। ଏହି ସମୟରେ ମିଳିଥିବା ସୁଯୋଗରେ ବିଶ୍ୱବିହାରୀ କୌଶଳକ୍ରମେ ଜେଲ ହାତାରୁ ଫେରାର ହୋଇଯାଇଥିଲା। ଘଟଣା ଜଣାପଡ଼ିବା ପରେ ଜେଲ ପରିସରରେ ହଠାତ୍ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ବିଶ୍ୱବିହାରୀ ୨୦୨୧ ମସିହାର ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ୨୦୨୩ ମସିହାରେ ନୂଆପଡ଼ା କୋର୍ଟ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଦଣ୍ଡାଦେଶ ଭୋଗୁଥିବା ସମୟରେ ସେ ଜେଲରୁ ଫେରାର ହୋଇଯାଇଛି। ଘଟଣା ସମ୍ପର୍କରେ ନୂଆପଡ଼ା ଉପ-କାରାଗାର ସୁପରିଣ୍ଟେଣ୍ଡେଣ୍ଟ ବଳରାମ ବିଶି ମାଝୀ କଏଦୀ ଫେରାର ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ଘଟଣା ପରେ ତୁରନ୍ତ ହାଇ ଆଲର୍ଟ ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ସମ୍ଭାବ୍ୟ ରାସ୍ତା ଓ ଅଞ୍ଚଳଗୁଡ଼ିକ ଉପରେ ନଜର ରଖାଯାଇଥିବା ବେଳେ ଫେରାର କଏଦୀଙ୍କୁ ଖୋଜିବା ପାଇଁ ପୋଲିସ ଓ ଜେଲ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀ କିପରି ଜେଲ ପରିସରରୁ ଫେରାର ହେବାରେ ସଫଳ ହେଲା, ତାହାକୁ ନେଇ ଜେଲ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ଗମ୍ଭୀର ପ୍ରଶ୍ନ ଉଠିଛି। ସଫେଇ କାର୍ଯ୍ୟ ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇଥିଲା କି, କିମ୍ବା କାହାରି ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଘଟଣା ପଛରେ କାହାର ଅବହେଳା ରହିଛି ଏବଂ ଜେଲର ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଥିଲା, ସେନେଇ ତଦନ୍ତ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ଏବେ ସମସ୍ତଙ୍କ ନଜର ଫେରାର କଏଦୀ ବିଶ୍ୱବିହାରୀ ମାଝୀଙ୍କ ଗିରଫ ଉପରେ ରହିଛି।





