ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ନିଜ ଭାବି ସ୍ତ୍ରୀକୁ କିସ୍ କରିବା ବରକୁ ପଡ଼ିଲା ମହଙ୍ଗା । ବିବାହ ଷ୍ଟେଜ୍ରେ କନ୍ୟାକୁ କିସ୍ କରି ହଟହଟା ହେଲା ବର । ସାତ ଜନ୍ମର ସାଥି ହେବାକୁ ଯାଉଥିବା ନିଜ ଭାବି ସ୍ବାମୀଙ୍କୁ ପୋଲିସ ଡକାଇ ଗିରଫ କରାଇଲେ କନ୍ୟା । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ସମ୍ଭଲରୁ ସାମ୍ନାକୁ ଆସିଛି । ବାହା ହେବାକୁ ଯାଉଥିବା ବରକନ୍ୟା ଷ୍ଟେଜ ଉପରେ ପରସ୍ପରକୁ ଫୁଲ ମାଳ ପିନ୍ଧାଇଥିଲେ । ମାଳ ପିନ୍ଧିବା ପରେ ବର ଜଣଙ୍କ ନିଜ ଭାବୀ ପତ୍ନୀଙ୍କୁ ଷ୍ଟେଜ ଉପରେ ସ୍ନେହରେ କିସ୍ କରିଦେଇଥିଲେ । ବାସ୍ ଏତିକି କଥାରେ କନ୍ୟା ଜଣଙ୍କ ରାଗିଯାଇଥିଲେ । ଆଉ ବାହ ହେବାକୁ ମନା କରି ପୁଲିସ୍କୁ ମଧ୍ୟ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କନ୍ୟାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ସେ ନ ଶୁଣି ନିଜ ଜିଦ୍ରେ ଅଟଳ ଥିଲେ । କନ୍ୟା ଜଣଙ୍କ ଅଭିଯୋଗ ଅନୁଯାୟୀ, ଷ୍ଟେଜରେ ଥିବା ବେଳେ ବର ଜଣକ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ତଥାପି ଅଣଦେଖା କରିଥିଲେ। ମାତ୍ର ସମସ୍ତଙ୍କ ସାମ୍ନାରେ କିସ୍ କରିବା ପରେ ସେ ନିଜକୁ ଅପମାନିତ ଅନୁଭବ କରିଥିଲେ । ସେ ତାଙ୍କ ଆତ୍ମସମ୍ମାନ କଥା ଚିନ୍ତା ନ କରି ଅଭଦ୍ର ସ୍ୱଭାବ ଦେଖାଇଥିବାରୁ ସେ ଭବିଷ୍ୟତରେ କେମିତି ବ୍ୟବହାର କରିବେ ? ତେଣୁ ସେ ତାଙ୍କୁ ସହ ବିବାହ କରିବାକୁ ମନା କରିଦେଇଛନ୍ତି । କନ୍ୟାଙ୍କ ମା’ କହିଛନ୍ତି, “ମୋ ଭାବୀ ଜ୍ୱାଇଁଙ୍କୁ ତାଙ୍କ ସାଙ୍ଗମାନେ ଉସକାଇଥିଲେ । ଏବେ ମୋ ଝିଅ ତାଙ୍କ ସହ ଯିବାକୁ ଚାହୁଁନି । ଆମେ ସମସ୍ତେ ଝିଅକୁ ବୁଝାଇବାକୁ ଚେଷ୍ଟା କରିଛୁ । ହେଲେ ସେ ଆଦୌ ରାଜି ହେଉନି । ଆମର ଆଶା ଆଗାମୀ ଦିନରେ ସବୁ କିଛି ଠିକ ହୋଇଯିବ । ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ତେବେ କନ୍ୟା ଜଣକ ନିଜ ସ୍ୱାମୀଙ୍କ ସହ ଶାଶୂଘରକୁ ଯିବେ କି ନାହିଁ ତାହା ମାମଲା ଥଣ୍ଡା ହେବା ପରେ ଜଣାପଡ଼ିବ ।