ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଲଗାଣ ବର୍ଷା ଯୋଗୁଁ କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ସୋନୁ ଏଣ୍ଟରପ୍ରାଇଜେସ୍ର ଗୋଦାମ ଘରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ଜମିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ବର୍ଷା ଜଳ ନିଷ୍କାସନ ହୋଇ ନପାରି ଗୋଦାମରେ ଜମିଯାଇଥିଲା । ଫଳରେ ୱାସିଂ ମେସିନ, ଫ୍ରିଜ୍, ଟିଭି ଷ୍ଟାଣ୍ଡ, ଆଇରନ୍ ବାକ୍ସ, ଫ୍ୟାନ୍ ବିଡ଼ା,ସୋଫା, ଡ୍ରେସିଂ ଟେବୁଲ, କମ୍ପ୍ୟୁଟର ଷ୍ଟାଣ୍ଡ, ଅଫିସ୍ ଟେବୁଲ, ଗୋଡ୍ରେଜ୍ ଓ ଫ୍ଲାଇଉଡ୍ ସାମଗ୍ରୀ ସମେତ ବିଭିନ୍ନ ଜିନିଷ ପାଣିରେ ଭିଜି ନଷ୍ଟ ହୋଇଥିବା ଦୋକାନ ମାଲିକ ବିଶ୍ୱନାଥ ସେନାପତି କହିଛନ୍ତି । ଘଟଣା ଜଣାପଡ଼ିବା ପରେ ଶ୍ରୀ ସେନାପତି ପ୍ରଥମେ ନିଜସ୍ୱ ମଟର ଯୋଗେ ପାଣି ନିଷ୍କାସନ ଉଦ୍ୟମ ସହ କୋଲନରା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀର ଷ୍ଟେସନ୍ ଅଫିସର୍ ଚିନ୍ମୟ ପ୍ରସାଦ ବେହେରା, ସରୋଜ ଝଙ୍କାର, ଏ.ଜଗେନ୍ଦ୍ର ରେଡ୍ଡୀ, ମଙ୍ଗୁଲୁଚରନ୍ ପରିଡ଼ା ଓ ଅମର ସେଠୀ ପହଞ୍ଚି ମେସିନ୍ ସାହାଯ୍ୟରେ ଗୋଦାମରୁ ପାଣି ନିଷ୍କାସନ କରିଥିଲେ । ଦୋକାନ ମାଲିକଙ୍କ କହିବା ଅନୁଯାୟୀ ପ୍ରାୟ ୩ ବର୍ଷ ତଳେ ମଧ୍ୟ ଏହି ଗୋଦାମରେ ପାଣି ପଶି ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିଲା ପୁନର୍ବାର ସମାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେ ଚିନ୍ତା ପ୍ରକାଶ କରିଛନ୍ତି ।





