ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ନୂଆପଡ଼ାର ସଫଳତା

ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): କେନ୍ଦୁଝର ଜିଲ୍ଲାର ବଡ଼ବିଲ୍‌ଠାରେ ସଦ୍ୟ ସମାପ୍ତ ୭୦ତମ ରାଜ୍ୟସ୍ତରୀୟ ଉଷୁ (ସାମରିକ କଳା) ପ୍ରତିଯୋଗିତାରେ ନୂଆପଡ଼ା ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନୂଆପଡ଼ାରୁ ୯ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୧୭ ବର୍ଷରୁ କମ୍ ବାଳକ ବିଭାଗର ୭୫–୮୦ କିଗ୍ରା ବର୍ଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରେୟାଂଶ ଆର୍ୟନ୍ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୪୮–୫୨ କିଗ୍ରା ବର୍ଗରେ ପି.ଏମ୍. ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ଛାତ୍ର ରାଜେନ୍ଦ୍ର ସୁନାନି ରୌପ୍ୟ ପଦକ ହାସଲ କରିଛନ୍ତି। ବାଳିକା ବିଭାଗରେ ୪୫ କିଗ୍ରାରୁ କମ୍ ବର୍ଗରେ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ୟାମିନୀ ସାହୁ ଏବଂ ୪୫–୪୮ କିଗ୍ରା ବର୍ଗରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସାନିଆ ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମ ଲାଲ୍ ନାଏକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମ୍ପାଦକ ମହତାବ ଆଡଜୁଆଡ ଏବଂ ଅଭିଭାବକ ହେମନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବାକୁ ଉତ୍ସାହିତ କରିଥିଲେ। ନୂଆପଡ଼ାର ଏହି ଯୁବ କ୍ରୀଡ଼ା ପ୍ରତିଭାଙ୍କ ସଫଳତା ଜିଲ୍ଲାର କ୍ରୀଡ଼ା କ୍ଷେତ୍ର ପାଇଁ ଏକ ଉତ୍ସାହଜନକ ବିଷୟ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.