ଡିଆରଡିଓ କେନ୍ଦ୍ରୀୟ ଜୋନ୍ ବ୍ୟାଡମିଣ୍ଟନରେ ବିକାଶ ଦାସଙ୍କ ଚମକ : ଜାତୀୟ ପ୍ରତିଯୋଗିତା ପାଇଁ ହେଲେ ମନୋନୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଭେଟେରାନ୍ ବ୍ୟାଡମିଣ୍ଟନ ଖେଳାଳି ତଥା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରାଲ୍ ଟେଷ୍ଟ ରେଞ୍ଜ୍‌ (ଆଇଟିଆର୍‌)ର ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍-ବି ବିକାଶ ଦାସ ଡିଆର୍‌ଡିଓ କେନ୍ଦ୍ରୀୟ ଜୋନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ହାଇଦ୍ରାବାଦରେ ସେପ୍ଟେମ୍ବର ୨୨ରୁ ୨୫ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାର ଭେଟେରାନ୍ ସିଙ୍ଗଲ୍ସ ଓ ଭେଟେରାନ୍ ଡବଲ୍ସ ବର୍ଗରେ ସେ ରନର୍ସଅପ୍ ହୋଇଛନ୍ତି। ଡିଆର୍‌ଡିଓ କେନ୍ଦ୍ରୀୟ ଜୋନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ଡିଆର୍‌ଡିଓର ୧୨ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ।
ଉଭୟ ବର୍ଗରେ ବିକାଶଙ୍କ ପ୍ରଦର୍ଶନ ତାଙ୍କ ଦୀର୍ଘଦିନର କ୍ରୀଡ଼ା ଦକ୍ଷତାର ପରିଚୟ ଦେଇଛି।

ଏହି ସଫଳତା ପରେ ବିକାଶ ଦାସଙ୍କୁ ଆସନ୍ତା ଅକ୍ଟୋବର ୧୩ରୁ ୧୬ ପର୍ଯ୍ୟନ୍ତ ପୁଣେରେ ହେବାକୁ ଥିବା ଡିଆର୍‌ଡିଓ ଜାତୀୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି। ଦୀର୍ଘ ୨୦ ବର୍ଷ ଧରି ସେ ଡିଆର୍‌ଡିଓର ଜାତୀୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆଇଟିଆର୍‌, ବାଲେଶ୍ୱରର ଗୌରବ ବଢ଼ାଇ ଆସୁଛନ୍ତି। ତାଙ୍କ ସଫଳତା ପାଇଁ ଆଇଟିଆର୍‌ ନିର୍ଦ୍ଦେଶକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବ୍ୟାଡମିଣ୍ଟନ ବ୍ୟତୀତ ବିକାଶ ଦାସ କ୍ୟାରମ୍‌ରେ ମଧ୍ୟ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ସେ ଜାତୀୟ କ୍ୟାରମ୍‌ ଚାମ୍ପିୟନ୍‌ସିପ୍‌ରେ ବାଲେଶ୍ୱର ଆଇଟିଆର୍‌ର ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ୨୦୨୨ରେ କଟକରେ ଆୟୋଜିତ ଅଲ୍‌ ଓଡ଼ିଶା ରାଜ୍ୟସ୍ତରୀୟ ଭେଟେରାନ୍‌ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ରେ ମଧ୍ୟ ସେ ଚାମ୍ପିୟନ୍‌ ହୋଇଥିଲେ। ଚାନ୍ଦିପୁର ନିବାସୀ ବିକାଶ ଦାସ, ଶ୍ରୀ ଗୌର ଗୋପାଳ ଦାସ ଓ ମାତା ନିୟତି ରାଣୀ ଦାସଙ୍କ ପୁତ୍ର। ତାଙ୍କ ଜାତୀୟ ପ୍ରତିଯୋଗିତା ଚୟନ ପରେ ଆଇଟିଆର୍‌ର କର୍ମଚାରୀ ଓ ବାଲେଶ୍ୱରର ବ୍ୟାଡମିଣ୍ଟନ ଖେଳାଳିମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଣେରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ଶୁଭକାମନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.