ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଉଦ୍ୟମିତା, ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଏହାର ଅଧୀନସ୍ଥ ବିଭିନ୍ନ କଲେଜର ଅଧ୍ୟାପକ, ଅଧ୍ୟାପିକାମାନେ ଅହମ୍ମଦାବାଦସ୍ଥିତ ଏଣ୍ଟ୍ରପ୍ରିନରସିପ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ୬-ଦିନିଆ ‘ଫ୍ୟାକଲ୍ଟି ମେଣ୍ଟର ଡେଭଲପମେଣ୍ଟ ପ୍ରୋଗ୍ରାମ୍’ ସଫଳତାର ସହ ଶେଷ କରିଛନ୍ତି।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ଅଭିନବ ପଦକ୍ଷେପକୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭାରମ୍ଭ କରିଥିଲେ। ସେପ୍ଟେମ୍ବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ପ୍ରିୟଙ୍କା ଖୁରାନା ଏବଂ ବାୟୋଟେକ୍ନୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଅଂଶଗ୍ରହଣ କରିଥିଲେ। ସେହିପରି ଅଧୀନସ୍ଥ କଲେଜଗୁଡ଼ିକ ମଧ୍ୟରୁ ରାଜଧାନୀ କଲେଜର ଡ. ବନ୍ଦିତା ରଥ (ପ୍ରାଣୀବିଜ୍ଞାନ) ଓ ଡ. ସ୍ମୃତି ରେଖା ସାହୁ (ବାଣିଜ୍ୟ), ବିଜେବି ସ୍ୱୟଂଶାସିତ କଲେଜର ଡ. ସରୋଜ କୁମାର ରାଉତ (ରସାୟନ ବିଜ୍ଞାନ), ପୁରୀ ଏସ୍ସିଏସ୍ ସ୍ୱୟଂଶାସିତ କଲେଜର ଡ. ପଲ୍ଲବୀ ମିଶ୍ର (ପ୍ରାଣୀବିଜ୍ଞାନ) ଏବଂ ନୟାଗଡ଼ ମଡେଲ ଡିଗ୍ରୀ କଲେଜର ଡ. ଅପରାଜିତା ମିଶ୍ର (ନୃତତ୍ତ୍ୱ) ସାମିଲ ଥିଲେ।
ଏଥିସହ ଉଚ୍ଚଶିକ୍ଷା ବିଭାଗରେ ଡେପୁଟେସନରେ କାର୍ଯ୍ୟରତ ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଫେସର ଚିନ୍ମୟ ପ୍ରଧାନ ଏବଂ ବିଜେବି କଲେଜ ଗଣିତ ବିଭାଗର ଡ. କନନ କୁମାର ପାତ୍ର ମଧ୍ୟ ଏହି ପ୍ରଶିକ୍ଷାର୍ଥୀ ଦଳର ଅଂଶବିଶେଷ ଥିଲେ।
ଇଡିଆଇଆଇର ପ୍ରଫେସର ତଥା ସରକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଅମିତ କୁମାର ଦ୍ୱିବେଦୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷାର୍ଥୀମାନେ ଅନୁଷ୍ଠାନର ମହାନିର୍ଦ୍ଦେଶକ ଡ. ସୁନୀଲ ଶୁକ୍ଳାଙ୍କ ସହ ବୌଦ୍ଧିକ ଆଲୋଚନା କରିବାର ସୁଯୋଗ ପାଇଥିଲେ। ପ୍ରଶିକ୍ଷଣପ୍ରାପ୍ତ ଏହି ମେଣ୍ଟରମାନେ ଆଗାମୀ ଦିନରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ର ଉଦ୍ଭାବକ ତଥା ନୂତନ ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବା ସହ ଷ୍ଟାର୍ଟଅପ୍ ପରିବେଶକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।





