ଏଆଇ ମାଧ୍ୟମରେ ନେକ୍ସଟଜେନ୍‌କୁ ସଶକ୍ତ କରିବା ଲକ୍ଷ୍ୟରେ ‘ଟେକ୍ ଭିଜନ୍ ୨୦୨୬’ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: “Empowering the NextGen with AI” ବିଷୟବସ୍ତୁକୁ ନେଇ ପ୍ରଗତି କନ୍ସେପ୍ଟ ସ୍କୁଲ, ଭବାନୀପାଟଣା ପକ୍ଷରୁ ‘ଟେକ୍ ଭିଜନ୍ ୨୦୨୬’ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI), ନୂତନ ପ୍ରଯୁକ୍ତି, ନବସୃଜନ, ଗବେଷଣା ଓ ଉଦ୍ୟୋଗୀତାର ନୂତନ ସୁଯୋଗ ସହ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ସଚିବ ଇଞ୍ଜିନିୟର ଅଜୟ ପଣ୍ଡା ଉଦ୍‌ଘାଟନୀ ସମ୍ବୋଧନ ଦେଇ ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତି ଯୁଗରେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତମୁଖୀ ଶିକ୍ଷା ପ୍ରଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଆମେରିକାସ୍ଥିତ XCEL Corpର ପ୍ରତିଷ୍ଠାତା ଓ CEO ଶ୍ରୀ ଜିତ୍ ଗୋଏଲ୍ ପ୍ରଯୁକ୍ତି, AI, ନବସୃଜନ ଓ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ତିନି ଦଶନ୍ଧିରୁ ଅଧିକ ପ୍ରଯୁକ୍ତି ଓ ଉଦ୍ୟୋଗୀତା ଅଭିଜ୍ଞତା ଥିବା ଶ୍ରୀ ଗୋଏଲ୍ IBM USA ଓ AT&T ଭଳି ପ୍ରତିଷ୍ଠିତ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ସେ NIT Rourkelaର ପୂର୍ବତନ ଛାତ୍ର ଏବଂ Harvard Business School ଓ MITରେ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି। NRDCର Senior Regional Manager & Head, Outreach Office ଡ. ବିଜୟ କୁମାର ସାହୁ ଗବେଷଣା, ବୌଦ୍ଧିକ ସମ୍ପତ୍ତି, ନବସୃଜନ ଓ ପ୍ରଯୁକ୍ତି ହସ୍ତାନ୍ତର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଅନ୍ୟତମ ବକ୍ତା ଉଦ୍ୟୋଗୀ ଓ ମେଣ୍ଟର ଶ୍ରୀ ଲଳିତ ଅଗ୍ରୱାଲ ଉଦ୍ୟୋଗୀ ମନୋଭାବ ବିକାଶ, ସୁଯୋଗ ଚିହ୍ନଟ ଓ ନୂତନ ଚିନ୍ତାଧାରାକୁ ସାର୍ଥକ ଉଦ୍ୟମରେ ପରିଣତ କରିବା ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ।

ବକ୍ତାମାନେ AIକୁ କେବଳ ଏକ ପ୍ରଯୁକ୍ତିଗତ ଉପକରଣ ଭାବେ ନୁହେଁ, ବରଂ ସୃଜନଶୀଳତା, ଗବେଷଣା, ସମସ୍ୟା ସମାଧାନ ଓ ନିରନ୍ତର ଶିକ୍ଷଣର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଗତି କନ୍ସେପ୍ଟ ସ୍କୁଲର ପ୍ରିନ୍ସିପାଲ୍ ଡ. ଚିନ୍ମୟ ଗୁରୁ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, AI ଓ ନୂତନ ପ୍ରଯୁକ୍ତିର ଯୁଗରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଜ୍ଞାନ ସହିତ ସୃଜନଶୀଳ ଚିନ୍ତାଧାରା, ଗବେଷଣା ଦକ୍ଷତା ଓ ପ୍ରଯୁକ୍ତିର ଦାୟିତ୍ୱପୂର୍ଣ୍ଣ ବ୍ୟବହାରରେ ଦକ୍ଷ କରିବା ଆବଶ୍ୟକ। ‘ଟେକ୍ ଭିଜନ୍ ୨୦୨୬’ ଭଳି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସର ବୃଦ୍ଧି କରିବା ସହ ସେମାନଙ୍କୁ ଭବିଷ୍ୟତର ସୁଯୋଗ ଓ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ଶେଷରେ ପ୍ରିନ୍ସିପାଲ୍ ଡ. ଚିନ୍ମୟ ଗୁରୁ ପ୍ରଗତି ଅନୁଷ୍ଠାନ ପକ୍ଷରୁ ସମସ୍ତ ବିଶିଷ୍ଟ ଅତିଥି, ବକ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମସ୍ତଙ୍କ ସହଯୋଗ ଓ ଅବଦାନ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.