କୋଟପାଡ଼ର ଆଶ୍ରୟସ୍ଥଳୀ ବୁଲି ଦେଖିଲେ; ୧୫ ଦିନର ଖାଦ୍ୟ ଓ ରାସନ ଯୋଗାଣ ନିଷ୍ପତ୍ତି
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଥିବା ବେଳେ ଆଜି ବନ୍ୟା ପ୍ରଭାବିତ କୋଟପାଡ଼ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପିରିଞି ଓ ଚାନ୍ଦିଲି ଅଞ୍ଚଳ ବୁଲି ବନ୍ୟାର ପ୍ରଭାବ ଦେଖିବା ସହ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ପହଞ୍ଚି ବନ୍ୟା ପୀଡ଼ିତଙ୍କ ସହ ଆଲୋଚନା କରିଥିଲେ। ଆଶ୍ରୟସ୍ଥଳୀରେ ରହୁଥିବା ପରିବାରଗୁଡ଼ିକର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଧାସଳଖ ପଚାରି ବୁଝିଥିଲେ। ପ୍ରଶାସନ ପକ୍ଷରୁ ମିଳୁଥିବା ସହାୟତା, ରନ୍ଧା ଖାଦ୍ୟ, ପାନୀୟ ଜଳ, ଶିଶୁ ଖାଦ୍ୟ ଓ ଔଷଧ ଯୋଗାଣ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବନ୍ୟା ପୀଡ଼ିତଙ୍କ ସହ ସରକାର ରହିଛନ୍ତି। ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପରେ ନିୟମାନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।
କୋଟପାଡ଼ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଜୟପୁର ବିମାନବନ୍ଦରଠାରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ବନ୍ୟା ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ଆଶ୍ରୟସ୍ଥଳୀରେ ଉପଲବ୍ଧ ସୁବିଧା ଏବଂ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଆଶ୍ରୟସ୍ଥଳୀରେ ରହୁଥିବା ବନ୍ୟା ପୀଡ଼ିତ ପରିବାରଙ୍କୁ ୧୫ ଦିନ ପାଇଁ ଖାଦ୍ୟ, ରାସନ, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଏଥିସହ ନିୟମାନୁଯାୟୀ ବନ୍ୟା ପୀଡ଼ିତଙ୍କୁ ଅଗ୍ରିମ କ୍ଷତିପୂରଣ ଓ ସହାୟତା ରାଶି ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବନ୍ୟା ପାଣି ଜମିରେ ଜମି ରହିଥିବାରୁ ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ଏକ ସ୍ୱତନ୍ତ୍ର ଟେକ୍ନିକାଲ୍ ଟିମ୍ ନିୟୋଜିତ କରାଯିବ। ପାଣି ନିଷ୍କାସନ ପରେ ପ୍ରଭାବିତ ଜମିରେ ପୁନର୍ବାର କିପରି ଚାଷ କାର୍ଯ୍ୟ ଆରମ୍ଭ କରାଯାଇପାରିବ, ସେନେଇ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ। ବନ୍ୟା ପୀଡ଼ିତଙ୍କ ନିକଟରେ ତୁରନ୍ତ ରିଲିଫ୍ ପହଞ୍ଚାଇବା ସହ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର, କୃଷି କାର୍ଯ୍ୟକୁ ସ୍ୱାଭାବିକ କରିବା ଏବଂ କ୍ଷୟକ୍ଷତିର ଆକଳନକୁ ଗୁରୁତ୍ୱ ଦେଇ ସମନ୍ୱିତ ଭାବେ କାମ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ପେଶାଲ୍ ରିଲିଫ୍ କମିଶନର୍ ରାଜେଶ ପ୍ରଭାକର ପାଟିଲ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, କୋରାପୁଟ ଉପଜିଲ୍ଲାପାଳ ଫାବି ରଶିଦ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବେଣୁଧର ସବରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।






