ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସେପ୍ଟେମ୍ବର ୨୨ ରେ ବାତ୍ୟା “ଅର୍ଣ୍ଣବ” ଘନିଭୁତ ହୋଇ ୨୩ ରେ ଅବପାତରେ ପରିଣତ ହେଲା। ପ୍ରଭାବିତ ହେବ ବୋଲି ଘୋଷଣା ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ କଳାହାଣ୍ଡି ମଧ୍ୟ ରହିଥିଲା। କଳାହାଣ୍ଡିକୁ ପାଣିପାଗ ବିଭାଗ ତରଫରୁ ରେଡ ଆଲର୍ଟ ଜାରି ହୋଇଥିଲା। ୭୦ ରୁ ୭୫ କି.ମି ବେଗରେ ପବନ ବୋହିବ ବୋଲି ଘୋଷଣା ହୋଇଥିବା ବେଳେ ଜିଲ୍ଲାର ନର୍ଲାରେ ଆଶାନୁରୁପକ ବର୍ଷା ହୋନଥିଲା। ଯେଉଁଭଳି ଭାବରେ ବାତ୍ୟା ଅର୍ଣ୍ଣବର ରୁପରେଖ ଦିଆଯାଉଥିଲା, ସେହିଭଳି ବାତ୍ୟା ତ ବିଲକୁଲ ହେଲାନାହିଁ। ହେଲେ ବର୍ଷା ମଧ୍ୟ ନାହିଁ। ବୁଧବାର ଦିନବେଲା ମଧ୍ୟ କେବଳ ଝିପି ଝିପି ବର୍ଷା ଲାଗି ରହିଥିଲା। ଗତ ରାତିରେ ବର୍ଷା ଛେଚିବ ବୋଲି କୁହାଯାଇଥିଲା। ହେଲେ ନର୍ଲାରେ ସେମିତି ଆଖିଦୃଶିଆ ବର୍ଷା ହୋଇନି। ନର୍ଲା ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ସାନ୍ଦୁଲ ନଦୀରେ ମାତ୍ର ଆଣ୍ଠୁଏ ପାଣି ବୋହୁଥିବା ଦୃଶ୍ୟମାନ ହେଉଛି। ପାଣି ପାଗ ବିଭାଗର କଳାହାଣ୍ଡି ଜିଲ୍ଲା ପାଇଁ ରେଡ ଏଲର୍ଟକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ନଭେମ୍ବର ୨୩ ଓ ୨୪ ଦୁଇ ଦିନ ପାଇଁ ସ୍କୁଲ, କଲେଜ ପ୍ରଭୃତି ଶିକ୍ଷା ଅନୁଷ୍ଠାନ ଗୁଡିକ ଛୁଟି ଘୋଷଣା କରିଥିଲେ। ଚଳିତ ବର୍ଷ ସମୟାନୁଯାୟୀ ବର୍ଷା ହୋଇଥିବାରୁ ନର୍ଲା ଅଞ୍ଚଳର ଚାଷ ଭଲ ହୋଇଛି। ହେଲେ ଧାନ ଚାଷରେ ଚକଡା ରୋଗ ସବୁ ଲାଗିବା ଆରମ୍ଭ ହୋଇଛି। ଏହି ବାତ୍ୟା ଜନିତ ବର୍ଷା ଓ ବନ୍ୟା ହୋଇଥିଲେ ନର୍ଲା ଅଞ୍ଚଳର ଚାଷ ବହୁତ ପ୍ରଭାବିତ ହୋଇଥାନ୍ତା ବୋଲି ଚାଷୀ କୂଳ ମତବ୍ୟକ୍ତ କରିଛନ୍ତି। ସେ ଯାହା ବି ହେଉ ଟଳିଲା ବାତ୍ୟା “ଅର୍ଣ୍ଣବ”ର ବିପଦ। ଆସ୍ୱସ୍ଥି ହୋଇଛନ୍ତି ଲୋକେ।





