ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଉତ୍କଳମଣି ସେବା ସଂସ୍ଥା ଓ ବିପ୍ଲବ ବେହେରା ସ୍ମୃତି ସଂସଦର ଆନୁକୂଲ୍ୟରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧ, ତର୍କ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜୁନାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଦାମୋଦର ବେହେରା, ସମ୍ପାଦକ ଅଜୟ ଦାସ, ବରିଷ୍ଠ ଉପଦେଷ୍ଟା କୈଳାଶ ରାଉତ, ଉଦ୍ଧବ ସାହୁ, ମଧୁସୂଦନ ପଣ୍ଡା, ଭଗବାନ ସାହୁ, ହେମନ୍ତ ଶାସମଲ, ନିରଞ୍ଜନ ସାହାଣୀ, ନବଘନ ସାହୁ ଓ ସ୍ୱର୍ଣ୍ଣ ଦାଶଙ୍କ ସମେତ ଅନ୍ୟମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ଅଭିମନ୍ୟୁ ବାରିକ, ପ୍ରସନ୍ନ ପ୍ରଧାନ, ଅଶୋକ ସାହୁ,ଜୟନ୍ତୀ ସାହୁ, ବ୍ରଜକିଶୋର ମିଶ୍ର, ଗୋପାଳ ପାତ୍ର,ମାନସ ରଞ୍ଜନ ସେଠୀ, ପ୍ରମୋଦ ଛତ୍ରିଆ,ସଞ୍ଜୀବ ମେହେର,ସଞ୍ଜୀବ ପ୍ରଧାନ ଓ ଗୋପୀନାଥ ରାଉତ ପ୍ରମୁଖ ବିଚାରପତି ଓ ନିରୀକ୍ଷକ ଭାବେ ସହଯୋଗ କରିଥିଲେ। ଆସନ୍ତା ଅକ୍ଟୋବର ୪ ତାରିଖରେ ବିପ୍ଲବ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଏବଂ ଅକ୍ଟୋବର ୯ ତାରିଖରେ ଉତ୍କଳମଣିଙ୍କ ଜୟନ୍ତୀ ଉତ୍ସବ ଅବସରରେ ଶହୀଦ ରେଣ୍ଟୋ ମାଝୀ ସଂସ୍କୃତି ଭବନ ଠାରେ
ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ସଭାପତି ଦାମୋଦର ବେହେରା ପ୍ରକାଶ କରିଛନ୍ତି। ପ୍ରତିଯୋଗିତାରେ ବିଚାରପତି ଓ ନିରୀକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବା ସମସ୍ତ ବରିଷ୍ଠ ଶିକ୍ଷକ ଓ କଳାକାରମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅଜୟ ଦାସ କୃତଜ୍ଞତା ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ।





