ନ୍ୟୁଜ ଆଙ୍କରଙ୍କୁ ବଏକଟ ନିଷ୍ପତ୍ତି, ଇଣ୍ଡିଆ ମେଣ୍ଟର ପ୍ରଥମ ନେତା ନୀତିଶ କଲେ ବିରୋଧ

ଓଡ଼ିଆ ବାର୍ତ୍ତା/ ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଦିନ ୧୪ ଜଣ ସାମ୍ବାଦିକ ଏବଂ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବୟକଟ୍ କରିବା ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ମୁଁ କୌଣସି ସାମ୍ବାଦିକଙ୍କ ବିରୋଧରେ ନୁହେଁ ଏବଂ ବୟକଟ୍ କରିବା ଭୁଲ୍। ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୪ ଜଣ ନ୍ୟୁଜ୍ ଆଙ୍କରଙ୍କ ସୋ’କୁ ବୟକଟ୍ କରିବା ନିଷ୍ପତ୍ତି ଉପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଏପରି କହିଛନ୍ତି। ମୁଁ କାହିଁକି ବୟକଟ୍ କରିବି? ମୁଁ ସାମ୍ବାଦିକଙ୍କ ସପକ୍ଷରେ ଅଛି। ଦେଖନ୍ତୁ, ଯେତେବେଳେ ସାମ୍ବାଦିକମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ମିଳିବ, ସେମାନେ ଯାହା ଉଚିତ ଓ ଉପଯୁକ୍ତ ମନେ କରିବେ ତାହା ଲେଖିବେ। ସାମ୍ବାଦିକମାନଙ୍କୁ ନିୟନ୍ତ୍ରଣରେ ରଖାଯାଇ ପାରିବ କି? ମୁଁ କେବେ ସାମ୍ବାଦିକମାନଙ୍କ ଉପରେ କୌଣସି ପ୍ରକାରର ନିୟନ୍ତ୍ରଣ ରଖିଥିଲି କି? ସାମ୍ବାଦିକମାନେ ଯାହା ଉଚିତ ମନେ କରୁଛନ୍ତି ତାହା ଲେଖିବାର ଅଧିକାର ରହିଛି। ମୁଁ କାହା ବିରୋଧରେ ନୁହେଁ। ବୟକଟ କରିବା ଭୁଲ୍। ଏବେ ଯେଉଁମାନେ କେନ୍ଦ୍ରରେ ଅଛନ୍ତି, ସେମାନେ କିଛି ଲୋକଙ୍କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ଏବଂ ସେହି ଲୋକମାନେ ସାମ୍ବାଦିକତାରେ କିଛି ନା କିଛି ଭୁଲ୍ କରୁଥିଲେ। ଆପଣମାନେ କ’ଣ ଏ ସବୁ କଥା ଜାଣନ୍ତି ନାହିଁ? ମୁଁ ସବୁବେଳେ ଆପଣମାନଙ୍କୁ (ଗଣମାଧ୍ୟମ ପ୍ରତିନିଧି) ସମ୍ମାନ ଦେଉଛି।

ନୀତିଶ, ନିଜ ପତ୍ନୀ ମଞ୍ଜୁ ସିହ୍ନାଙ୍କ ନାମରେ ପାଟନା ଜିଲ୍ଲାର ବଖ୍ତିଆରପୁରରେ ଏକ ପ୍ରକଳ୍ପ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘାଟନ କରିବା ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି। ତେବେ ଏହା ମଧ୍ୟ ସୂଚାଇ ଦେଇଛି ଯେ ଇଣ୍ଡିଆ ମେଣ୍ଟ ସହିତ ଥିବା ଲୋକମାନେ ଏବଂ ରାଜନୈତିକ ଦଳ ଅନୁଭବ କରିଥାଇପାରନ୍ତି ଯେ ସାମ୍ବାଦିକତା କ୍ଷେତ୍ରରେ କିଛି ଅସଙ୍ଗତି କରାଯାଉଛି। ନୀତିଶ ହେଉଛନ୍ତି ୨୬-ଦଳୀୟ ଇଣ୍ଡିଆ ମେଣ୍ଟର ପ୍ରଥମ ନେତା ଯିଏ ଟେଲିଭିଜନ ନ୍ୟୁଜ୍ ଆଙ୍କରଙ୍କୁ ବର୍ଜନ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହା ପୂର୍ବରୁ ଗୁରୁବାର ଦିନ ବିରୋଧୀ ଗୋଷ୍ଠୀ ୧୪ ଜଣ ଟେଲିଭିଜନ୍ ନ୍ୟୁଜ୍ ଆଙ୍କରଙ୍କ ତାଲିକା ଜାରି କରିଥିଲେ, ଯେଉଁମାନଙ୍କ ଶୋ’କୁ ମେଣ୍ଟର ଗଣମାଧ୍ୟମ ପ୍ରତିନିଧିମାନେ ବର୍ଜନ କରିବେ ବୋଲି କୁହାଯାଇଥିଲା। ୨୬ ଦଳୀୟ ମେଣ୍ଟର ସମନ୍ୱୟ କମିଟି ଦିଲ୍ଲୀରେ ପ୍ରଥମ ବୈଠକ କରି ମିଳିତ ବିବୃତି ଜାରି କରିବାର ଗୋଟିଏ ଦିନ ପରେ ଏହି ତାଲିକା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.