ବିଶ୍ବର ଚର୍ଚ୍ଚିତ ନେତା, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ତଥା ଭାରତ ବର୍ଷର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ନରେନ୍ଦ୍ର ମୋଦି ଜୀ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକମାନଙ୍କୁ ସେବା ଯୋଗାଇ ଦେଇଥିଲେ ଏବଂ ସେ ଛାତ୍ରାବସ୍ଥାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଭ୍ୟ ଥିଲେ। ଯୁବାବସ୍ଥାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇ ଭ୍ରଷ୍ଟାଚାର ବିରୋଧୀ ନବ ନିର୍ମାଣ ଆନ୍ଦୋଳନରେ ଭାଗନେଇଥିଲେ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍), ଏକ ସାମାଜିକ- ସାଂସ୍କୃତିକ ସଂଗଠନରେ ସେ ଯୋଗ ଦେଇ ଭାରତର ସାମାଜିକ ତଥା ସାଂସ୍କୃତିକ ବିକାଶଧାରା ଉପରେ ବିଶେଷ ଗୁରୁତ୍ୱପ୍ରଦାନ କରିଥିଲେ ଓ ନିଜକୁ ନିସ୍ୱାର୍ଥପର, ସାମାଜିକ ଦାୟିତ୍ୱ ଓ ଜାତୀୟତାବୋଧ କାର୍ଯ୍ୟରେ ନିୟୋଜିତ କଲେ। ଆରଏସ୍ଏସରେ କାର୍ଯ୍ୟ କରୁଥିବା ସମୟରେ ନରେନ୍ଦ୍ର ମୋଦୀ ବିଭିନ୍ନ ଘଟଣାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ। ୧୯୮୭ ମସିହାରେ ସେ ବିଜେପିରେ ଯୋଗଦାନ କରି ତାଙ୍କର ମୁଖ୍ୟ ରାଜନୈତିକ ଜୀବନ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିର ଗୁଜରାଟ ୟୁନିଟ ଓ ରାଷ୍ଟ୍ରୀୟ ପଦପଦବୀ ରେ ରହି କାର୍ଯ୍ୟନିର୍ବାହ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ନରେନ୍ଦ୍ର ମୋଦି ଜୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେଇଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ରାଜ୍ୟରେ ସାମଗ୍ରିକ ଓ ସାମୟିକ ବିକାଶ ହୋଇଥିଲା।୨୦୧୩ରେ ଗୁଜରାଟରେ ଏକ ବିଶାଳ ଶିଖର ସମ୍ମୀଳନୀର ଆୟୋଜନରେ ବିଶ୍ୱର ୧୨୦ରୁ ଅଧିକ ଦେଶ ଭାଗ ନେବା ଏକ ଗୁରୁତ୍ୱପୂର୍ଣ ବିଷୟ ଥିଲା। ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜନୀତିର ଏହି ଆହ୍ୱାନମୂଳକ ଯାତ୍ରା ପଥରେ ମୋଦି ନିଜର ଦୃଢ଼ ବ୍ୟକ୍ତିତ୍ୱ, ସେବା ପ୍ରତି ସମର୍ପଣ ମନୋଭାବ, ଆଦର୍ଶ ଚରିତ୍ର, ଧୈର୍ଯ୍ୟ ଓ ମନୋବଳର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନେକଙ୍କ ମନରେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ଏକକ ବହୁମତ ପରେ ମେ ୨୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ଵ ଗ୍ରହଣ କରିଥିଲେ।୨୦୧୪ ମେ ମାସରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ସାମଗ୍ରିକ ଏବଂ ସମନ୍ୱିତ ବିକାଶ ଯାତ୍ରା ଆରମ୍ଭ କରିଥିଲେ, ଯଦ୍ୱାରା ପ୍ରତ୍ୟେକ ଭାରତୀୟ ଯେଭଳି ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବେ, ଅନ୍ତ୍ୟୋଦୟ ନୀତିରେ ଗଭୀର ଭାବେ ପ୍ରଭାବିତ ଶ୍ରୀ ମୋଦୀ ଉନ୍ନତି ଅପେକ୍ଷାର ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ। ଅଭିନବ ଚିନ୍ତାଧାରା ଓ ଉଦ୍ୟମ ମାଧ୍ୟମରେ ସରକାର ଏକଥାକୁ ସୁନିଶ୍ଚିତ କରିଛନ୍ତି ଯେ ପ୍ରଗତିର ଚ଼କ ଯେପରି ଦ୍ରୁତଗତିରେ ଆଗେଇ ଚାଲିବ ଏବଂ ବିକାଶର ସୁଫଳ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ସରକାର ମୁକ୍ତ, ସହଜ ଓ ସ୍ୱଚ୍ଛ ହୋଇଛନ୍ତି।
ମୋଦୀ ସରକାର ଅଗଷ୍ଟ ୨୦୧୪ ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ପାଇଁ ଏକ ଆର୍ଥିକ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଯୋଜନା ସମସ୍ତଙ୍କ ପାଇଁ ମୌଳିକ ବ୍ୟାଙ୍କସେବା ଯୋଗାଇଦେବା ଉଦ୍ଦେଶ୍ୟ ନେଇ ପ୍ରାରମ୍ଭ ହୋଇଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ଶୂନ ରକ୍ଷଣାବେକ୍ଷଣ ପରିମାଣ,ଟଙ୍କା ଫେରସ୍ତ,ବୀମା ସେବା,ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ୍ ଏବଂ ପେନ୍ସନ୍ ସହିତ ବ୍ୟାଙ୍କ ଆକାଉଣ୍ଟ୍ ଭଳି ସୁଲଭ ଆର୍ଥିକ ସେବା ଉପଲବ୍ଧ କରାଇବା।
ସେପ୍ଟେମ୍ବର ୨୭, ୨୦୧୪ ରେ ଜାତିସଂଘ ସାଧାରଣ ସଭାରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଯୋଗ ଦିବସ’ ଅବସରରେ ପରାମର୍ଶ ଦେଇଥିଲେ। ସେବେଠାରୁ ଯୋଗ ଦିବସ ପ୍ରତିବର୍ଷ ୨୧ ଜୁନ୍ ରେ ପାଳନ କରାଯାଏ। ଅକ୍ଟୋବର ୨୦୧୪ ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଆରମ୍ଭ କରିଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ। ମେକ୍-ଇନ୍-ଇଣ୍ଡିଆ ପାଇଁ ତାଙ୍କର ଆହ୍ୱାନ ଦେଶରେ ବ୍ୟବସାୟ ପ୍ରକ୍ରିୟାକୁ ସହଜ ଓ ସରଳ କରିଛି। ଯଦ୍ୱାରା ନିବେଶକ ଓ ଉଦ୍ୟୋଗୀମାନେ ଅସୀମ ନୂତନ ଉତ୍ସାହ ଓ ଉଦ୍ଦୀପନାରେ ଏଥିରେ ସାମିଲ ହୋଇଛନ୍ତି। ସରକାରଙ୍କ “ଶ୍ରମ ଏବ ଜୟତେ” କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମ ଆଇନରେ ସଂସ୍କାର ଘଟାଯାଇଛି ଓ ଶ୍ରମିକମାନଙ୍କ ମର୍ଯ୍ୟାଦାର ସୁରକ୍ଷା କରାଯାଇଛି। ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାର ଶ୍ରମିକମାନେ ସଶକ୍ତ ହୋଇଛନ୍ତି। ପୁନଶ୍ଚ ଆମର କୁଶଳୀ ଯୁବ ଶ୍ରମଶକ୍ତିଙ୍କୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ୨୦୧୫ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ “ଡିଜିଟାଲ ଇଣ୍ଡିଆ ଅଭିଯାନ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଲୋକମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଘଟାଇବା ସକାଶେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ସକାଶେ ଡିଜିଟାଲ ଇଣ୍ଡିଆ ସୃଷ୍ଟି କରାଯାଇଛି।
ମୋଦୀଙ୍କ ବୈଦେଶିକ ନୀତି ପଦକ୍ଷେପ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ବାସ୍ତବ ସାମର୍ଥ୍ୟ ଏବଂ ଭୂମିକାକୁ ପ୍ରତିପାଦିତ ଓ ସାକାର କରିଛି।ଭାରତ ଏବେ ବିଶ୍ୱସ୍ତରରେ ନିଜର ସ୍ଥିତିକୁ ପ୍ରତିପାଦିତ କରିପାରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶର ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ଉପସ୍ଥିତିରେ ନିଜର ପଦଭାର ଗ୍ରହଣ କରିଥିଲେ। ମିଳିତ ଜାତିସଂଘର ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣକୁ ବିଶ୍ୱ ନେତୃବର୍ଗ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଦୀର୍ଘ ୧୭ବର୍ଷ ବ୍ୟବଧାନରେ ନେପାଳକୁ ଏବଂ ୨୮ ବର୍ଷ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ଦ୍ୱିପାକ୍ଷିକ ଗସ୍ତରେ ଯାଇଥିଲେ । ସେହିଭଳି ଫିଜିକୁ ୩୧ ବର୍ଷ ବ୍ୟବଧାନରେ ଏବଂ ସିସିଲିକୁ ୩୪ ବର୍ଷ ବ୍ୟବଧାନରେ ଗସ୍ତ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପରେ ସେ ମିଳିତ ଜାତିସଂଘ, ବ୍ରିକ୍ସ, ସାର୍କ ଏବଂ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି, ଯେଉଁଠାରେ ବିଶ୍ୱର ବିଭିନ୍ନ ଅର୍ଥନୈତିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଭାରତର ମତ ଓ ଯୁକ୍ତିକୁ ବ୍ୟାପକଭାବେ ପ୍ରଶଂସା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ଭାରତ-ଜାପାନ ସଂପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି । ମଙ୍ଗୋଲିଆ ଗସ୍ତରେ ଯାତ୍ରା କରିବାରେ ଶ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ୨୦୧୫ ଅକ୍ଟୋବର ମାସରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିଲା ଭାରତ-ଆଫ୍ରିକା ଶିଖର ସମ୍ମିଳନୀ । ଯେଉଁଥିରେ ୫୪ଟି ଆଫ୍ରିକୀୟ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ୪୧ଟି ଆଫ୍ରିକୀୟ ରାଷ୍ଟ୍ରର ନେତୃବର୍ଗ ଯୋଗ ଦେଇଥିଲେ ଯେଉଁଥିରେ ଭାରତ-ଆଫ୍ରିକା ଘନିଷ୍ଠ ସଂପର୍କ ବୃଦ୍ଧି ଦିଗରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା । ସ୍ୱୟଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ସମ୍ମିଳନୀକୁ ଆସିଥିବା ଅନେକ ଆଫ୍ରିକୀୟ ନେତୃବର୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।
୨୦୧୫ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ପ୍ୟାରିସଠାରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀ ସିଓପି-୨୧ରେ ଯୋଗଦାନ କରିଥିଲେ।ସେଠାରେ ସେ ଅନ୍ୟ ବିଶ୍ୱ ନେତୃବର୍ଗଙ୍କ ସହ ମିଶି ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ୨୦୧୬ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ଆଣବିକ ସୁରକ୍ଷା ସମ୍ମିଳନୀରେ। ଏହି ସମ୍ମିଳନୀରେ ବିଶ୍ୱରେ ଏବେ ଆଣବିକ ନିରାପତ୍ତା ଘେନି ଏକ ସୁଦୃଢ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ। ସାଉଦି ଆରବ ଗସ୍ତରେ ଯାତ୍ରା କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସେ ଦେଶର ସାହୀ ଶାସକ ଅବଦୁଲ ଅଜିଜ୍ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଆଜି ସମଗ୍ର ଦେଶରେ ମହିଳା ସଶକ୍ତିକରଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।କୋଭିଡ୍ ମହାମାରୀ ସମୟରେ ସାରା ବିଶ୍ୱର ଅନେକ ବିକଶିତ ଦେଶ ଏହି ମହାମାରୀକୁ ସାମ୍ନା କରିପାରିନଥିବା ବେଳେ ଭାରତ ପାରଦର୍ଶିତା ସହିତ କୋଭିଡ୍ର ମୁକାବିଲା କରିପାରିଥିଲା । ପ୍ରଥମ ଥର ପାଇଁ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ କୋଭିଡ୍ ଟୀକା ପ୍ରସ୍ତୁତ କରିପାରିଥିଲା। ୧୪୦କୋଟି ଜନସଂଖ୍ୟାର ଦେଶରେ ଟୀକାକରଣ ଅଭିଯାନ ସଫଳତାର ସହ ହୋଇପାରିଛି। ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା। ଏତଦବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଆହୁରୀ ରହିଛି,ଯାହା ଫଳରେ ଜନସାଧାରଣ ଉପକୃତ ହେଉଛନ୍ତି। ମୋଦି ସରକାରଙ୍କ ଏହି ୯ବର୍ଷ ଶାସନରେ ଦେଶରେ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଅନେକ ମାଇଲଖୁଂଟ ସ୍ଥାପିତ ହୋଇଛି । ଦେଶରେ ରେଳସେବାରେ ଆଧୁନିକରଣ, ନୂଆ ରେଳ ଲାଇନ ନିର୍ମାଣ, ରେଳ ଷ୍ଟେସନର ଆଧୁନିକରଣ ନୂଆ ଶିଖରକୁ ଛୁଇଁଛି। ଦେଶରେ ବନ୍ଦେ ଭାରତ ଟ୍ରେନ୍ ଚାଲୁ କରିବା, ନୂତନ ବିମାନ ବନ୍ଦର ନିର୍ମାଣ କରିବା, ନୂତନ ଜାତୀୟ ରାଜପଥ ନିର୍ମାଣ ଦିଗରେ ମୋଦି ସରକାର ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି।
ସ୍ୱାସ୍ଥ୍ୟ ସେବା ବିକାଶ ଦିଗରେ ମୋଦି ଜୀ ଅନେକ ବଡ ପଦକ୍ଷେପ ନେଇଛନ୍ତି ଯଥା ନୂଆ ମେଡିକାଲ କଲେଜ ସ୍ଥାପନା, ଏମ୍ସ ସ୍ଥାପନା, ଏମବିବିଏସ୍ ସିଟ୍ ବୃଦ୍ଧି କରିଛନ୍ତି ଏବଂ ନୂଆ ଆଇଆଇଟି ଓ ନୂଆ ଆଇଆଇମ ମଧ୍ୟ ପ୍ରତିଷ୍ଠା ହୋଇଛି। ମୋଦି ସରକାର ଦେଶରେ ନୂଆ ଶିକ୍ଷା ନୀତି ସମେତ ଦେଶର ଅଖଣ୍ଡତା ପ୍ରତି ଆହ୍ୱାନ ସୃଷ୍ଟି କରିଥିବା ଧାରା ୩୭୦କୁ ଜାମ୍ମୁ କାଶ୍ମୀରରୁ ଉଚ୍ଛେଦ କରାଯାଇଛି । ଉତର-ପୂର୍ବ ଭାରତ ବିକାଶକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି। ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ସହ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସୀମାବର୍ତି ଅଂଚଳରେ ରାସ୍ତା ଏବଂ ବ୍ରିଜ୍ ନିର୍ମାଣ ହୋଇଛି। ଜି-୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସଂଗଠନରେ ଭାରତ ଅଧ୍ୟକ୍ଷତା କରିପାରିଛି ଯାହା ମୋଦିଙ୍କ ସରକାରଙ୍କର ନେତୃତ୍ୱର ବଳିଷ୍ଠ ପ୍ରମାଣ।ଜି ୨୦ ସମ୍ମିଳନୀର ସଫଳ ଆୟୋଜନ ଭାରତର ଏକ ଐତିହାସିକ ଉପଲବ୍ଧି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଦୂରଦୃଷ୍ଟି ଯୋଗୁ ଭାରତ ଆଜି ଏଭଳି ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚି ପାରିଛି। ମନ୍ କି ବାତ୍ (ମନର କଥା) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ସଂଚାଳିତ ହେଉଥିବା ଏକ ରେଡ଼ିଓ କାର୍ଯ୍ୟକ୍ରମ ଯେଉଁଥିରେ ସେ ଆକାଶବାଣୀ ମାଧ୍ୟମରେ ସ୍ୱାଧୀନ ଭାବେ ଭାରତର ଜନସାଧାରଣଙ୍କୁ ସମ୍ବୋଧିତ କରିଥା’ନ୍ତି। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରେରଣା ଦାୟୀ। ରାମ ମନ୍ଦିର ନିର୍ମାଣ, ତିନ ତଲାକ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ, ସଂସ୍କୃତି, ଐତିହ୍ୟ ଓ ପରଂପରାକୁ ଗୁରୁତ୍ୱ, ଉଚ୍ଚ ବର୍ଗର ଆର୍ଥୀକ ଅନଗ୍ରସରଙ୍କୁ ୧୦% ସଂରକ୍ଷଣ, ନିଷ୍ପତି ପାଇଁ ମୋଦୀ ସରକାରଙ୍କ ଭୁମିକା ପ୍ରଶଂସନୀୟ। ସେହିପରି ମୋଦୀ ସରକାରରେ ଓଡିଆ ସମ୍ମାନିତ ଓ ଓଡିଶାବାସୀ ଗର୍ବିତ ହୋଇଛନ୍ତି। ୧୮୧୭ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ପ୍ରଦାନ ଓ ପାଠ୍ୟପୁସ୍ତକରେ ସାମିଲ, ପାଇକ ସ୍ମାରକୀର ଶିଳାନ୍ୟାସ ଏବଂ ୨୦୦ କୋଟି ଟଙ୍କା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଥିଲେ। ମୋଦି ସରକାରଙ୍କ ନୀତି ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ, ସବକା ପ୍ରୟାସ। ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ, ବିଶ୍ଵ ନେତା ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।