ଶ୍ରେୟ ନେବାକୁ କଂଗ୍ରେସର ଦାବି, ଶାହ ଦେଲେ ଉତ୍ତର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାର ପ୍ରଥମ ଅଧିବେଶନରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି। ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ପରେ ନୂତନ ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖି ଅଧୀର ରଞ୍ଜନ ଚୌଧୁରୀ ଦାବି କରିଛନ୍ତି ଯେ ଆଜି ଆଗତ ହୋଇଥିବା ବିଲ୍ ହିଁ କଂଗ୍ରେସ ନେତୃତ୍ୱାଧୀନ ସରକାର ୨୦୧୦ରେ ରାଜ୍ୟସଭାରେ ପାରିତ କରିଥିଲେ। ମନମୋହନ ସିଂହଙ୍କ ସରକାର ସମୟରେ ଆସିଥିଲା ଏହି ବିଲ୍। ଯାହା ରାଜ୍ୟସଭାରେ ପାରିତ ହୋଇଥିଲା ଏବଂ ଏବେ ବି ଏହା ଖାରଜ ହୋଇନି ବୋଲି ଅଧୀର ରଞ୍ଜନ ଚୌଧୁରୀ ତାଙ୍କ ଅଭିଭାଷଣରେ ଦାବି କରିଛନ୍ତି। ହେଲେ ଅଧୀରଙ୍କ ମନ୍ତବ୍ୟକୁ ଟ୍ରେଜେରୀ ବେଞ୍ଚରୁ ତୁରନ୍ତ ବିରୋଧ କରାଯାଇଥିଲା। ଗୃହମନ୍ତ୍ରୀ ଅମିତ ଶାହ ତୁରନ୍ତ ଅଧୀର ଚୌଧୁରୀଙ୍କ ମନ୍ତବ୍ୟକୁ ଖଣ୍ଡନ କରି କହିଥିଲେ ଯେ ରାଜ୍ୟସଭାରେ ପାରିତ ହୋଇଥିବା ବିଲ୍ ପଞ୍ଚଦଶ ଲୋକସଭାରେ ବାତିଲ ହୋଇଯାଇଛି। ଶାହ କହିଛନ୍ତି, ଯଦି ତାଙ୍କ ପାଖରେ ବିଲ୍ ଏବେ ବି ବିଲୋପ ହୋଇନଥିବାର କୌଣସି ପ୍ରମାଣ ରହିଛି ବୋଲି ଦେଖାଇବାକୁ ଅଧୀରଙ୍କୁ ଆହ୍ୱାନ କରିଛନ୍ତି। ନଚେତ୍ ତାଙ୍କ ମନ୍ତବ୍ୟକୁ ବାଦ୍ ଦିଆଯାଉ ବୋଲି କହିଥିଲେ ଶାହ। ବିଲ୍ ଆଗତ ହେବା ପରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.