ସିଜିମାଳି ଖଣି ଖନନକୁ ସମର୍ଥନ କରି କାଶିପୁରରେ ୨୫ହଜାର ଲୋକଙ୍କ ସମାଗମ

ଆମେ ବିକାଶ ଚାହୁଁ, ଆମେ ଚାକିରି ଚାହୁଁ -ସିଜିମାଳି ଖଣି ଖନନ ଶୀଘ୍ର ଆରମ୍ଭ ହେଉ

୧୬ରେ ହେବାକୁ ଥିବା ପରିବେଶ ମଂଜୁରୀ ଜନ ଶୁଣାଣୀକୁ ମଧ୍ୟ ସମର୍ଥନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆମେ ବିକାଶ ଚାହୁଁ, ଆମେ ଚାକିରି ଚାହୁଁ, ଆମର ମୈାଳିକ ଆବଶ୍ୟକତା ପୂରଣ କରାଯାଉ, ସେଥିପାଇଁ ଆମେ ସମସ୍ତେ ବେଦାନ୍ତ କମ୍ପାନକୁ ମିଳିଥିବା ଏହି ସିଜିମାଳି ଖଣିର ଖନନ କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବାକୁ ସମର୍ଥନ ଦେବା ସହ ଆସ୍ତନ୍ତା ଅକ୍ଟୋବର ୧୬ତାରିଖରେ ରାୟଗଡା ଜିଲ୍ଳା ଏବଂ ୧୮ ତାରିଖରେ କଳାହାଣ୍ଡି ଜିଲ୍ଳାରେ ହେବାକୁ ଥିବା ପରିବେଶ ମଂଜୁରୀ ନିମନ୍ତେ ଜନ ଶୁଶାଣୀକୁ ମଧ୍ୟ ସମର୍ଥନ ଜଣାଉଛୁ ବୋଲି ରାୟଗଡା ଜିଲ୍ଳାର କାଶିପୁର ଓ କଳାହାଣ୍ଡି ଜିଲ୍ଳାର ଥୁଆମୂଳ ରାମପୁର ବ୍ଳକର ସିଜିମାଳି ପ୍ରଭାବିତ ଅଂଚଳର ୨୫ହଜାର ଲୋକେ କାଶିପୁର ଠାରେ ଅନୁଷ୍ଠିତ ଶୋଭାଯାତ୍ରାରେ ସାମିଲ ହୋଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କାଶିପୁର ତହସିଲଦାର ଏବଂ କାଶିପୁର ଥାନା ଅଧିକାରୀଙ୍କ ଜରିଆରେ କାଶିପୁର ବ୍ଳକ ଅତିରିକ୍ତ ତହସିଲଦାର କୁଶ ଗରଡା ଏବଂ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

୪୦ବର୍ଷ ଧରି ନାଲକୋ ପଂଚପଟ ମାଳି, ୧୨ବର୍ଷ ହେଲା ଉତ୍କଳ ଆଲୁମିନାର ବାଫଲାମାଳି, ୭ବର୍ଷ ଧରି କୋଡିଙ୍ଗାମାଳି ଖଣି ଖନନ ଚାଲି ଆସୁଥିବା ବେଳେ ଉକ୍ତ ପ୍ରଭାବିତ ଅଂଚଳର ଲୋକଙ୍କ ଆଜି ପର୍ଯ୍ୟନ୍ତ କୈାଣସି ଅସୁବିଧା ହୋଇନାହିଁ କି ପାଣି ବି ଶୁଖିନାହିଁ, ବରଂ ସେମାନେ କମ୍ପାନୀ ଠାରୁ ବିଭିନ୍ନ ସୁବିଧା ସୁଯୋଗ ପାଇ ଅନେକ ଖୁସିରେ ଅଛନ୍ତି । କିନ୍ତୁ ଗତ କିଛି ମାସ ହେବ କିଛି ବାହ୍ୟ ଲୋକ ଆମର ସରଳତାର ସୁଯୋଗ ନେଇ ଖଣି ଏବଂ ଅଂଚଳର ବିକାଶ ବିରୁଦ୍ଧରେ ଆମର ନିରୀହ ଲୋକଙ୍କୁ ଉକୁସାଉଛନ୍ତି । ସେମାନେ ଆମର ବିକାଶ ନ ଚାହିଁ କମ୍ପାନୀ ଠାରୁ ନିଜର ସ୍ୱାର୍ଥ ହାସଲ କରିବାକୁ ଆମକୁ କମ୍ପାନୀ ବିରୁଦ୍ଧରେ ପ୍ରବର୍ତାଉଛନ୍ତି ।

ଆମ ଅଂଚଳକୁ ଭୁବନେଶ୍ୱର, ଦିଲ୍ଳୀ, କୋଲକୋତା, ମୁମ୍ବାଇ, ଲଣ୍ଡନ ଓ ବିଭିନ୍ନ ଏନଜିଓ ସଂସ୍ଥାରୁ ଲୋକେ ଆସୁଛନ୍ତି ଏବଂ ଏଠାରେ ଖଣି ଖନନକୁ ବିରୋଧ କରିବାକୁ ଶିଖାଇବା ସହ ବିକାଶ ବଦଳରେ ବିନାଶ ହେବ । ଅଂଚଳରେ ପାଣି ଶୁଖିଯିବ, ମରୁଭୂମି ପାଲଟିଯିବ ବୋଲି କହୁଛନ୍ତି । ଏପରିକି ସରକାରୀ କିମ୍ବା କମ୍ପାନୀ ଗାଡି ଅଂଚଳକୁ ଆସିଲେ ନିଆଁ ଲଗାଇ ଦିଅନ୍ତୁ ବୋଲି ଉକସାଉଛନ୍ତି । ତେବେ ଏଭଳି ଲୋକ କମ୍ପାନୀ ଠାରୁ କୋଟି କୋଟି ଟଙ୍କା ଲାଭ ପାଇବା ପରେ ଚୁପଚାପ ହୋଇ ବସି ରହିବେ । ତେଣୁ ଯଥାଶୀଘ୍ର ସିଜିମାଳି ଖଣି ଖନନ କାର୍ଯ୍ୟ ଆରମ୍ଭ କରିବାକୁ ଅଂଚଳବାସୀ ଦାବି କରିଥିବା ଉଲ୍ଳେଖ ରହିଛି । ଖଣି ଖନନ ଆରମ୍ଭ ହେଲେ ପ୍ରଭାବିତ ଅଂଚଳ ସମେତ ଉଭୟ ରାୟଗଡା ଓ କଳାହାଣ୍ଡି ଜିଲ୍ଳାର ପ୍ରଭାବିତ ଅଂଚଳର ବହୁ ଯୁବକଯୁବତୀ ବେକାର ହୋଇ ରହିବେ ନାହିଁ । ଯଦ୍ୱାରା ଅଂଚଳରେ ଦାଦନ ସମସ୍ୟା ଆଉ ଦେଖାଯିବ ନାହିଁ । ଅଂଚଳର ବିକାଶ ହେବ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ପ୍ରଭାବିତ ଅଂଚଳବାସୀ ପ୍ରକାଶ କରିଛନ୍ତି ।

ଆଜି କାଶିପୁର ସ୍ଥିତ ହନୁମାନ ମନ୍ଦିର ନିକଟ ଏବଂ ହେଲିପେଡ୍ ପଡିଆ ଠାରୁ ଦୁଇଟି ଶୋଭାଯାତ୍ରାରେ ୨୫ହଜାର ଲୋକେ ପାରମ୍ପରିକ ବେଶଭୂଷା ତଥା ବାଦ୍ୟଯନ୍ତ୍ରର ତାଳେ ତାଳେ ସିଜିମାଳି ଖଣି ଖନନକୁ ସମର୍ଥନ ଜଣାଇବା ନେଇ ସ୍ଳୋଗାନ ଦେଇ କାଶିପୁର ଥାନା ପର୍ଯ୍ୟନ୍ତ ପଂହଚିଥିଲେ । ସେଠାରେ ଅତିରିକ୍ତ ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସ.ପି. ଅମୂଲ୍ୟ କୁମାର ଧର, ଏସଡିପିଓ ରଶ୍ମିରଂଜନ ସେନାପତିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ୬ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.