୫ ଦିନିଆ ରିମାଣ୍ଡରେ ଗଲେ ସଞ୍ଜୟ ସିଂହ, କହିଲେ ମୋଦୀ ଆଦାନୀଙ୍କ ଚାକାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗୁରୁବାର ୫ ଦିନିଆ ଇଡି ରିମାଣ୍ଡରେ ପଠାଇ ଦିଆଯାଇଛି। ଦିଲ୍ଲୀସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ଦିନ ତମାମ ଜେରା କରିବା ପରେ ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ସିଂହଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ସଂସଦରେ ଆଦାନୀ ଗ୍ରୁପ୍ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ପାଇଁ ତାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ଆପ୍ ପକ୍ଷରୁ କୁହାଯାଇଛି। ରିମାଣ୍ଡରେ ଗଲା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ମୋଦୀ ଆଦାନୀଙ୍କ ଚାକାର..। ଗୁରୁବାର ଆପ୍ କର୍ମୀମାନେ ସଞ୍ଜୟ ସିଂହଙ୍କ ଗିରଫଦାରୀକୁ ବିରୋଧ କରି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଡିଡିୟୁ ମାର୍ଗରେ ଥିବା ଆପ୍ ପାର୍ଟି ଅଫିସ ଆଗରେ ଅନେକ ନେତା ଓ କର୍ମୀ ଏକାଠି ହୋଇଥିଲେ। ହାତରେ ବ୍ୟାନର ଧରି ବିଜେପି ବିରୋଧରେ ସ୍ଲୋଗାନ ଦେବା ସହ ସଞ୍ଜୟ ସିଂହଙ୍କ ଛାଡିବାକୁ ଦାବି କରିଛନ୍ତି। ଆପ୍ ନେତା ଆତିଶୀ, ଗୋପାଳ ରାୟ, ଜର୍ନେଲ ସିଂହ, ଏହି ଆନ୍ଦୋଳନରେ ପ୍ରିୟଙ୍କା କକ୍କର ଓ ରୀନା ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ। ସେମାନଙ୍କ ମେଣ୍ଟ ଉପରେ ଆସ୍ଥା ନ ଥିବାରୁ ଆଗାମୀ ନିର୍ବାଚନ ଜିତିବା ପାଇଁ ବିଜେପି ପକ୍ଷରୁ ସଞ୍ଜୟ ସିଂହଙ୍କ ଗିରଫଦାରୀ ଏକ ପ୍ରୟାସ ବୋଲି ଗୋପାଲ ରାୟ ଦାବି କରିଛନ୍ତି। ବିଜେପି ସାରା ଦେଶରେ ସର୍ଭେ କରିଛି ଏବଂ ଏହା ଜାଣିଛି ଯେ ଆଗାମୀ ନିର୍ବାଚନରେ ଦଳ ପରାସ୍ତ ହେବାକୁ ଯାଉଛି। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଏନଡିଏ ଉପରେ ଆସ୍ଥା ନାହିଁ, ତେଣୁ ଇଡି ଜରିଆରେ ଗିରଫ କରି ନିର୍ବାଚନ ଜିତିବାକୁ ଚେଷ୍ଟା କରାଯାଉଛି। ଗତବର୍ଷ ନଭେମ୍ବରରେ ଲାଗୁ ହୋଇଥିବା ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିରେ ଅନିୟମିତତା ନେଇ ଇଡି ତଦନ୍ତ କରୁଛି। ଏହାପରେ ସରକାରଙ୍କ ପକ୍ଷରୁ ଏହି ନୀତିକୁ ବନ୍ଦ କରିଦିଆଯାଇଛି। ଏହି ମାମଲାରେ ମନୀଷ ସିସୋଦିଆ ମଧ୍ୟ ଜେଲରେ ଅଛନ୍ତି। ସେହିପରି ସତ୍ୟେନ୍ଦ୍ର ଜୈନରେ ଥିଲେ କିନ୍ତୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନରେ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.