ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଇ ୧ ଶ୍ରମିକ ଦିବସ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତଚରଣ ଦାସ ଜନସଂପର୍କ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ସେ ନର୍ଲା ବ୍ଲକ ଅନ୍ତର୍ଗତ ଛତିକୁଡା ଛକ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରି ଶାନ୍ତପୁର-ନର୍ଲା-ତୁଲାପଡା ପର୍ଯ୍ୟନ୍ତ ୪୪ ଗାଁକୁ ଯାଇଥିଲେ। ଜନସମ୍ପର୍କ ଅଭିଯାନ ସମୟରେ ଭୋଟ ଭିକ୍ଷା କରିବା ସହ କଂଗ୍ରେସର ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଭକ୍ତ ଦାସ। ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଜୋର୍ ବର୍ଷିବା ସହ ଏଥର ପରିବର୍ତ୍ତନ ହେବ ଏବଂ କଂଗ୍ରେସ ସରକାର ଗଢ଼ିବ ବୋଲି ସେ କହିଛନ୍ତି। କଂଗ୍ରେସର ଏହି ଜନସମ୍ପର୍କ ଯାତ୍ରାରେ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ। ରାସ୍ତାସାରା ଓ ଗାଁ ଗାଁରେ ଜନତା କଂଗ୍ରେସର ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଓ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ଦେଖା ଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ନର୍ଲା ଅଣସଂରକ୍ଷିତ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, ବିଜେଡ଼ିରୁ ମନୋରମା ମହାନ୍ତି, ବିଜେପିରୁ ଅନିରୁଦ୍ଧ ପଧାନଙ୍କ ସମେତ ସର୍ବମୋଟ ୧୨ଜଣ ଦଳୀୟ ଏବଂ ସ୍ବାଧିନ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଏଥର ନର୍ଲାରେ ଘୋମାଘୋଟ ଲଢେଇ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।