ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସଦର ବ୍ଲକ ଅଧିନସ୍ଥ ଦାଦପୁର ଗ୍ରାମ ପଂଚାୟତର ଜମୁନାବାହାଲ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଦାଦପୁର ଓ ଆଖପାଖ ଅଞ୍ଚଳର ଗ୍ରାହକ ମାନଙ୍କୁ ସେମାନେ ଅର୍ଡର କରିଥିବା ଜିନିଷ ଦେଇ ଭବାନୀପାଟଣା ଫେରୁଥିବା ସମୟରେ ଜମୁନାବାହଲ ଗ୍ରାମର ଶେଷ ମୁଣ୍ଡ ନିଛାଟିଆ ଜାଗାରେ ଆଗରୁ ପ୍ଲାନିଂ କରି ଛକି ବସିଥିବା ଦୁର୍ବୃତ୍ତ ମାନେ ହଠାତ ଡେଲିଭରି ବଏ ଜଣକୁ ଅଟକାଇ ତାଙ୍କୁ ମାରପିଟ୍ କରିବା ସହ ତାକୁ ଭୁଜାଲିରେ ଆକ୍ରମଣ କରି ସେ ଜିନିଷ ଡେଲିଭରି ଦେଇ ଗ୍ରହଣ କରିଥିବା ଟଙ୍କା, ଜିନିଷ ପତ୍ର ଓ ମୋବାଇଲ ଲୁଟିନେଇ ଫେରାର ମାରିଥିଲେ। ଫ୍ଲିପକାର୍ଟ ବଏଙ୍କ ନାମ କ୍ଷେତ୍ରପାଳ ଭାଟି। ସେ ଭବାନୀପାଟଣା ଆମ ଗଛ ପଡ଼ାର ବୋଲି ଜଣାପଡିଛି। ଦୁର୍ବୃତ୍ତମାନେ ଏହି କାଣ୍ଡ କଲାବେଳେ ମୁହଁରେ ଗାମୁଛା ଘୋଡାଇ ଥିବାରୁ ସେମାନଙ୍କୁ କେହି ଚିହ୍ନିପାରି ନଥିଲେ ବୋଲି କୁହାଯାଉଛି। କ୍ଷେତ୍ରପାଳଙ୍କ ଚିତ୍କାର ଶୁଣି ଲୋକେ ଧାଇଁ ଆସିବାରୁ ଦୁବୃର୍ତ୍ତ ମାନେ ଏକ ନମ୍ବର ବିହୀନ ବାଇକ ଛାଡ଼ି ପାଳେଇଥିବା ଜଣାପଡ଼ିଛି। ଗୁରୁତର ଆହତ ଫ୍ଲିପକାର୍ଟ ବଏ ଜଣକୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଯୁବକଙ୍କ ଅଵସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି। ଖବର ପାଇ ଭବାନୀପାଟଣା ପୋଲିସ ବାଇକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।