ବନସ୍ତେ ଡାକିଲା ଗଜ….

ମାଟି ଓ ମୌସୁମୀ ମିଳନର ପର୍ବ ରଜ । ପୃଥିବୀର ମାତୃତ୍ଵ କାମନା କରି କରି ସୃଷ୍ଟି ଜୟ ଗୀତଗାନ କରୁଛି କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇଉଠୁଛି ସବୁଆଡେ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ । ଦୋଳିରେ ଛୁଟୁଛି- କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ପ୍ରଥମ ବର୍ଷାର ପହିଲି ପସରା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ । ଶୀତଳତା ଭରିଯାଏ ସବୁଆଡେ । ଯେମିତିକି ବହୁ ଦିନୁ ପ୍ରତିକ୍ଷୀତ ଏଇ ମାଟି- ମେଘ ସହ ରଚି ବସିଛି ଶୃଙ୍ଗାରର ପର୍ବ । ଆଉ ଏହି ଶୁଭ ଅବସରରେ ମିଳନର ଗୀତ ଗାଉଛନ୍ତି ସମସ୍ତେ । ଖରା ଯାଇ ମୌସୁମୀ ଆସିବାରେ ପୃଥିବୀ ତିନ୍ତିଛି ପ୍ରଥମ ବର୍ଷାର ସ୍ପର୍ଶରେ । ଆଦ୍ର ହୋଇଛି ମାଟି । ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦଉଛି – ଗାଁ ଭୁଇଁ । ହଳଦୀ ମୁଖା ନିରିମାଖୀ ଦେହରେ ସରଲା ପଲ୍ଲୀବାଳା ସଜେଇ ହୋଇଛି କୁଙ୍କୁମ ଚନ୍ଦନ । ଋତୁମତୀ ଧରାର ସଂକେତ ବହନ କରି ସେ ଆଜି ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୋଇଛି । ତେଣେ ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚଦିନ ତା’ ପାଇଁ ବିଶ୍ରାମର ବେଳ । ଏବେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା । ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି, ଫେରି ଆସିଥାନ୍ତି ଘରକୁ । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହର୍ଷୋଲ୍ଲାସର ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ । ଖରାର ଦର୍ପ କମିଳା ପରେ ମୌସୁମୀର କଅଁଳଛୁଆଁ ଶିହିରିତ କରେ ମତୀକୁ । ବାସୁମତି ବନ୍ଦନାର ଋତୁ ଇଏ । କ୍ଳାନ୍ତ ଧୂସର ଆକାଶରେ ପଇଁତରା ମରୁଛି ବାଦଲ । ଗଛର ସବୁଜିମା ଉପରେ ଆସ୍ତରଣ କମାଇଥିବା ବହଳ ଧୁଳି ଟୋପା ଟୋପା ମେଘରେ ଧୋଇ ହୋଇଯାଉଛି । ପ୍ରକୃତିର ସ୍ଵପ୍ନ ଓ ସୃଜନ ରଚିଛନ୍ତି ମାଳମାଳ କଙ୍କି ଓ ପ୍ରଜାପତି ।ଏହି ପର୍ବ ଆନନ୍ଦ ଓ ଉଲ୍ଲାସର ପର୍ବ ।‌‌ ଆବାଳ ବୃଦ୍ଧବନିତା ସମସ୍ତଙ୍କ ଉଲ୍ଲାସ ଭରିଦିଏ ଏହି ପର୍ବ । ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାରେ ଏହି ପର୍ବର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତିସ। ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ । ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ’ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ’ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ବଡ଼ଠାକୁର ଶ୍ରୀ ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ,  ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି । ରଜଗୀତ ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁ ଗହଳିରେ ଜନ୍ମ ନେଇଥିଲା ଯାହା ଲୋକ ମୁଖରେ ବୋଲାଯାଉଥିଲା ପୁରୁଷ ପୁରୁଷ ଧରି ଓ ଧିରେ ଧିରେ ତାହା ଓଡ଼ିଆ ସାହିତ୍ୟ ଭିତରକୁ ଆସିଲା ।

“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥”

ଆହୁରି ଏମତି ଅନେକ ରଜ ଗୀତ ଅଛି, ଯାହା ଶୁଣିବାକୁ ଖୁବ୍ ମଧୁର ଲାଗେ । ଓଡ଼ିଶାର ଗାଁ, ସହର ଓ ପୁରପଲ୍ଲୀରେ ଏହି ପର୍ବକୁ ସମସ୍ତେ ଆନନ୍ଦ ଓ ହର୍ଷୋଲ୍ଲାସରେ ପାଳନ କରିଥାନ୍ତି। ସମସ୍ତ ଜନସାଧାରଣଙ୍କୁ ରଜ ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ।

ବିଶ୍ବବିଜୟୀ ଦାଶ
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍ ନଂ- ୭୫୨୦୩୫
ଫୋନ: ୬୩୭୦୨୦୮୪୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.