ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ବ୍ୟାସକବି ତଥା ସଙ୍କ୍ରାନ୍ତିପୁରୁଷ ଫକୀରମୋହନ ସେନାପତିଙ୍କ ୧୮୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ତଥା ବିଶ୍ଵବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ଓ ଆମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତିରେ ସ୍ନାତକୋତ୍ତର ପରିଷଦର ସମ୍ମୁଖସ୍ଥ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏହି ସଭାର ଆୟୋଜନ ହୋଇଥିଲା। ସଭାର ମୁଖ୍ଯବକ୍ତା , ବିଶିଷ୍ଟ ଅନୁବାଦକ ଓ ସମାଲୋଚକ ପ୍ରଫେସର ଯତୀନ କୁମାର ନାୟକ ଯୋଗଦେଇ ଫକୀରମୋହନଙ୍କ ଉପନ୍ୟାସ ‘ଛ’ମାଣ ଆଠଗୁଣ୍ଠ’କୁ ଏକ ଅନନ୍ଯ ଦୃଷ୍ଟିକୋଣରେ ଉପସ୍ଥାପିତ କରିଥିଲେ।
ମୁଖ୍ଯଅତିଥି ଭାବେ, କଥାକାର ଓ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ଗୌରହରି ଦାସ ଯୋଗଦେଇ ଫକୀରମୋହନ ସେନାପତିଙ୍କୁ ଓଡ଼ିଆ ଭାଷା ଓ ଜାତିକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ମହାନାୟକ କହି ସମ୍ବୋଧନ କରିଥିଲେ । ଏଥିସହିତ ସେ ଫକୀରମୋହନଙ୍କ ଜୀବନ ବୃତ୍ତାନ୍ତକୁ ଅତି ନିକଟରୁ ବ୍ୟାଖ୍ୟା କରି, ଫକୀରମୋହନ ଏକାଧାରରେ ଜଣେ ‘ଫକୀର’ ଓ ଜଣେ ‘ସେନାପତି’ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ଯୋଗ ଦେଇ ଫକୀରମୋହନ ସେନାପତିଙ୍କ ଲିଖିତ କବିତା-ଗଳ୍ପ-ଉପନ୍ୟାସ ଗୁଡିକ ସଂପର୍କରେ ଆଲୋଚନା କରିଥିଲେ। ଫକୀରମୋହନ ଏକାଧାରରେ ଜଣେ କବି, ସାହିତ୍ୟିକ, କଥାକାର, ଗଦ୍ୟ ସାହିତ୍ୟର ଜନକ, ଦାର୍ଶନିକ, ସମାଜ ସଂସ୍କାରକ ଥିଲେ। ଓଡ଼ିଆ ଭାଷାର ସତ୍ତା ଓ ସମ୍ମାନକୁ ବଞ୍ଚାଇବାକୁ ସେ ଆପ୍ରାଣ ସଂଗ୍ରାମ କରିଥିଲେ। ଏଣୁ ଓଡ଼ିଆ ଭାଷାର ଗର୍ବ ଓ ଗୌରବ, ଜଣେ ଦକ୍ଷ ପ୍ରଶାସକ ଓ କାଳଜୟୀ ପୁରୁଷ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଅତିଥିଗଣ ନିଜ ଉଦବୋଧନରେ ଉଲ୍ଲେଖ କରିଥିଲେ। ସାଂସ୍କୃତିକ ଓ ସାମାଜିକ ଇତିହାସରେ ନାରୀ ଜାଗରଣ, ନାରୀ ସଶକ୍ତିକରଣ, ନାରୀ ଶିକ୍ଷା ସହ ମାତୃଭାଷା ପ୍ରତି ତାଙ୍କର ଅବଦାନ ଅନନ୍ୟ। ବାଲେଶ୍ବରରେ ଜନ୍ମିତ ଏହି ମହାନ୍ ସାହିତ୍ୟ ସାଧକଙ୍କ ସ୍ମୃତିରେ, କୁଳପତି ପ୍ରଫେସର ତ୍ରିପାଠୀ, ତାଙ୍କ ରଚନାର ପ୍ରଭାବ ଓ ଚରିତ୍ର ଗଠନ ସହ ଏହାର ଚିତ୍ରଣର ଉଦାହରଣ ଦେଇ କହିଥିଲେ ଯେ ସେ ସଂପୂର୍ଣ୍ଣ ଓଡିଆ ଭାଷା ଓ ସାହିତ୍ୟର ଜଣେ ରକ୍ଷାକର୍ତ୍ତା ଭାବେ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। ଏଥିସହ କୁଳପତି ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଅନ୍ତର୍ନିହିତ କ୍ଷମତାର ପରିପ୍ରକାଶ କରିବାର ଦକ୍ଷତା ବ୍ୟାସକବିଙ୍କ ଜୀବନୀ ଓ ଲେଖନୀରୁ ଶିଖିବା ପାଇଁ ପ୍ରେରଣା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ‘ବ୍ୟାସସମ୍ଭାର’ ନାମକ ପତ୍ରିକା ପାଠକାର୍ପିତ ହୋଇଥିଲା ଫକୀରମୋହନଙ୍କ ଆତ୍ମଜୀବନୀର ସଂପୂର୍ଣ୍ଣ ସଂପାଦନା, ଫକୀରମୋହନ ଶବ୍ଦକୋଷର ପ୍ରକାଶନ ଓ ‘ଫକୀରମୋହନ ଗୋଲ୍ଡେନ ବୁକ୍’ର ପ୍ରକାଶନର ଦାୟିତ୍ବ ଫକୀରମୋହନ ବିଶ୍ୱବିଦ୍ୟାଳୟ ଗ୍ରହଣ କରି ତାହାର ସଫଳ ରୂପାୟନର ପ୍ରୟାସ କରାଯିବ ବୋଲି କୁଳପତି ସୂଚନା ଦେଇଥିଲେ। ଏଥିସହ ବିଶ୍ବବିଦ୍ୟାଳୟର ସହକାରୀ କର୍ମଚାରୀଙ୍କୁ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ସଂଯୋଜନା ଓ ସଂଚାଳନା କରିଥିବା ବେଳେ ଉନ୍ନୟନ ଅଧିକାରୀ ଡ଼କ୍ଟର ପବିତ୍ର ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହିଥିଲେ।