ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ୫ ବର୍ଷ ର ପ୍ରୟାସ ଓ ବାରମ୍ବାର ରେଳ ରୋକ ଆନ୍ଦୋଳନ ପରେ ଆଜିଠୁଁ ନର୍ଲାରୋଡ ଷ୍ଟେସନରେ ରହିଲା ବିଳାସପୁର-ତିରୁପତି ଏକ୍ସପ୍ରେସ ଟ୍ରେନ। ସ୍ୱାଭିମାନ ମଞ୍ଚ ନର୍ଲାର ଆନ୍ଦୋଳନ ପରେ ଏହି ସାପ୍ତାହିକ ଦୁଇ ଦିନ ଚାଲୁଥିବା ଟ୍ରେନର ରହଣୀ ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମରେ ସ୍ୱାଭିମାନ ମଞ୍ଚର ସଭାପତି ଦୁର୍ଯ୍ୟୋଧନ କୁମାର, ସାଧାରଣ ସମ୍ପାଦକ ଦୀପୁ ପାତ୍ର, ନର୍ଲା ରେଳଯାତ୍ରୀ ସୁରକ୍ଷା ସମିତିର ସଭାପତି ପ୍ରଦୀପ କୁମାର ନାଏକ, ମାର୍ଗ ଦର୍ଶକ ଚୁଲମଣି ଗୌଡିଆ, ଅନିରୁଦ୍ଧ ବିଶ୍ୱାଳ, ବରିଷ୍ଠ ସଦସ୍ୟ ବିମଲ କୁମାର କେଡିଆ, କୁମୁଦ ନାଏକ, ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର,କମଲ ତାଣ୍ଡି, ତୀର୍ଥ ପଧାନ, ରତନ ଅଗ୍ରୱାଲ, ସାଧୁ ସରାଫ, ମନୋଜ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ ଙ୍କ ସମେତ ଯୁବ ବର୍ଗ ଓ ଅନେକ ଜନ ସାଧାରଣ ଉପସ୍ଥିତ ରହି ତିରୁପତି ଟ୍ରେନ କୁ ଫୁଲ ମାଳ ପିନ୍ଧାଇ, ନଡିଆ ଭାଙ୍ଗି ସ୍ୱାଗତ କରିବା ସହ ସାଂସଦ ମାଳବିକା ଦେବୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରେଳବାଇ କତୃପକ୍ଷ ଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିବା ସହ ଅଞ୍ଚଳ ବାସୀଙ୍କ ପ୍ରମୁଖ ଦାବୀ ରହିଥିବା ସମତା ସୁପରଫାଷ୍ଟ ଏକ୍ସପ୍ରେସ ଓ ପୁରୀ କୋରାପୁଟ ଏକ୍ସପ୍ରେସ ର ମଧ୍ୟ ଶୀଘ୍ର ରହଣୀ ପାଇଁ ଅନୁରୋଧ କରିଛନ୍ତି। ପୂର୍ବ ତଟ ରେଳପଥ ଆଜି ଠାରୁ ପରୀକ୍ଷାମୂଳକ ଭାବେ ନର୍ଲା ରୋଡ୍ ଷ୍ଟେସନରେ ଟ୍ରେନ୍ ନଂ ୧୭୪୮୨/୧୭୪୮୧ ବିଳାସପୁର-ତିରୁପତି-ବିଳାସପୁର ଦ୍ୱି-ସାପ୍ତାହିକ (ସାପ୍ତାହିକ ଦୁଇଥର ଚାଲୁଥିବା) ଏକ୍ସପ୍ରେସ ର ରହଣି କରିଛି। ଟ୍ରେନ୍ ନଂ ୧୭୪୮୨ ତିରୁପତି-ବିଲାସପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସ୍, ଆଜି ଠାରୁ ନର୍ଲାରୋଡ ଷ୍ଟେସନ ରେ ପୂର୍ବାହ୍ନ ୧୦:୦୮ ଘଟିକାରେ ପହଞ୍ଚିବ ଏବଂ ୧୦:୧୦ ଘଟିକାରେ ବିଲାସପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ସେହିଭଳି ୨୯ ସେପ୍ଟେମ୍ବର ୨୦୨୬ରେ ବିଲାସପୁର ରୁ ଛାଡ଼ୁଥିବା ଟ୍ରେନ୍ ନଂ ୧୭୪୮୧ ବିଲାସପୁର-ତିରୁପତି ଦ୍ୱି-ସାପ୍ତାହିକ ଏକ୍ସପ୍ରେସ୍, ନର୍ଲା ରୋଡ୍ ଷ୍ଟେସନରେ ୨୧:୩୮ ଘଟିକାରେ ପହଞ୍ଚିବ ଏବଂ ୨୧:୪୦ ଘଟିକାରେ ତିରୁପତି ଅଭିମୁଖେ ଯାତ୍ରା ଆରମ୍ଭ କରିବ।
ଗତ ୪ ବର୍ଷ ଧରି ରେଳବାଇ କତ୍ତୃପକ୍ଷ ଙ୍କୁ ପୂର୍ବରୁ ରହଣୀ ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ପୁନଃ ରହଣୀ ନିମନ୍ତେ ଅନୁରୋଧ ପତ୍ର ଦେଇ ନିରାଶ ହେବା ପରେ ନର୍ଲା ସ୍ୱାଭିମାନ ମଞ୍ଚ ଗତ ଜୁଲାଇ ୧ ତାରିଖ ରେ ନର୍ଲାରୋଡ ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିଥିଲା। ଏଥିରେ ଅଞ୍ଚଳର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜିବୀ, ଯୁବ ସମାଜ, ମହିଳା ଗୋଷ୍ଠୀ ଓ ଜନସାଧାରଣ ସାମିଲ ହୋଇଥିଲେ। ହେଲେ ଅଞ୍ଚଳବାସୀଙ୍କ ମୁଖ୍ୟ ଦାବୀ ରହିଥିବା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସର ରହଣୀ ଶୀଘ୍ର ଦିଆଯାଉ ବୋଲି ଦାବୀ ହେଉଛି।






