କଥାକାର କଇଳାଶ ପଟ୍ଟନାୟକ ଗ୍ରହଣ କଲେ ‘ଅକ୍ଷର କଥାକାର ସମ୍ମାନ-୨୦୨୬’

କଥାଶିଳ୍ପୀର ଅନୁଭବ ଅଭିଜ୍ଞତା ଓ ବିଚାର ହିଁ କଥାସାହିତ୍ୟକୁ ଗତିଶୀଳ କରାଏ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ ପ୍ରଜାପତି’ ସାହିତ୍ୟ ଶାଖା ‘ଅକ୍ଷର’ ତରଫରୁ ଚଳିତବର୍ଷ କଥାସାହିତ୍ୟ ରଚନା ପାଇଁ ମର୍ଯ୍ୟାଦାଜନକ ‘ ଅକ୍ଷର କଥାକାର ସମ୍ମାନ-୨୦୨୬’ କଥାକାର କଇଳାଶ ପଟ୍ଟନାୟକଙ୍କୁ ଏକ ଭବ୍ୟ ଆଡ଼ମ୍ବରପୂର୍ଣ ଉତ୍ସବରେ ପ୍ରଦାନ କଗଯାଇଛି। ‘ଆତିଥ୍ୟ’ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କଥାସାହିତ୍ୟ ପର୍ବ ‘ଆମ କଥାକାର’କୁ ଚାନ୍ଦିପୁର ଆଇ.ଟି.ଆର୍.ର ଯୁଗ୍ମ ନିର୍ଦ୍ଦେଶକ ଡ. ନୀଳାଦ୍ରି ରାୟ ଉଦ୍‌ଘାଟନ କରିଥିଲେ। ଉଦବୋଧନ ଦେଇ ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ ପରିଚ୍ଛନ୍ନ ରଚନା ଶୈଳୀ ହିଁ କଥା ସାହିତ୍ୟର ସୌନ୍ଦର୍ଯ୍ୟ। ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ କଥାକାର କଇଳାଶ ପଟ୍ଟନାୟକଙ୍କୁ ‘ଅକ୍ଷର କଥାକାର ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ତାଙ୍କୁ ମାନପତ୍ର, ଉତ୍ତରୀୟ, ଉପଢୌକନ ସହ ନଗଦ ଅର୍ଥରାଶି ୧୦ହଜାର ଟଙ୍କା ପ୍ରଦାନ କଗଯାଇଥିଲା। ସମ୍ମାନଗ୍ରହଣର ପ୍ରତ୍ୟୁତ୍ତରରେ କଥାକାର ପଟ୍ଟନାୟକ କହିଲେ ଯେ କଥାସମ୍ରାଟ ଫକୀରମୋହନଙ୍କ ମାଟିରୁ ଏହି ସମ୍ମାନ ଗ୍ରହଣ କରି ମୁଁ ଆନନ୍ଦିତ। ଫୁଲ ଭିତରେ ମହକ ଥିଲା ଭଳି କଥା ସାହିତ୍ୟ ଭିତରେ ସମସ୍ତ ତତ୍ତ୍ୱ ଭରି ରହିଥାଏ। କଥାକାରର ଜୀବନର ସମସ୍ତ ଅନୁଭବ, ଅଭିଜ୍ଞତା ଓ ବିଚାର କଥାସାହିତ୍ୟକୁ ଗତିଶୀଳ କରାଇଥାଏ। ପ୍ରାରମ୍ଭରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ କଥାକାରଙ୍କର ଏକ ନିର୍ବାଚିତ ଗଳ୍ପ ପଠନ କରିବା ସହ ତାଙ୍କର କୃତି ଓ ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ‘ସୁଲଗ୍ନା’ର ପ୍ରତିଷ୍ଠାତା ଘନଶ୍ୟାମ ବିଶ୍ୱାଳ ଯୋଗଦାନ କରି ସାହିତ୍ୟ ଓ ପାଠକ ସମ୍ପର୍କରେ ନିଜ କଥା ରଖୁଥିଲେ। ଆବାହକ ବିପ୍ଳବ ଦାସ ମହାପାତ୍ର, ସଂପାଦକ ରାଜେଶ ଗିରି ଓ ସଂଯୋଜକ କବି ମଧୁସୂଦନ ମିଶ୍ର ଆନୁଷ୍ଠାନିକ ସୂଚନା ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କଥାକାର ପଟ୍ଟନାୟକଙ୍କୁ ‘ନାଗରିକ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟରେ ଆମନ୍ତ୍ରିତ ଅତିଥି ଭାବେ କବି ଶ୍ରୀଦେବ, କବି ଉତ୍ପଳ ମହାନ୍ତି ଓ କବି ଶୁଭେନ୍ଦୁ ଦାସ ଉପସ୍ଥିତ ରହି ନିଜର ସଂକ୍ଷିପ୍ତ କଥା ରଖିଥିଲେ। ନାଗରିକ ସମ୍ବର୍ଦ୍ଧନା ପର୍ବରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ କଥାକାର ପଟ୍ଟନାୟକଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉତ୍ସବର ପରମ୍ପରା ଅନୁଯାୟୀ ‘ସ୍ୱରାଗିଣୀ’ ଅନୁଷ୍ଠାନର ଶିଳ୍ପୀଗଣ ଗୁରୁ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ଆରମ୍ଭ ସଂଗୀତ ଗାନ କରିଥିଲା ବେଳେ ‘ନୃତ୍ୟାୟନ’ ଅନୁଷ୍ଠାନର ଶିଳ୍ପୀଗଣ ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ଶେଷ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାର୍ଥସାରଥୀ ସାହୁ, ଅମରଜିତ୍ ଦାସ, ସରସ୍ୱତୀ ଭୋଇ, ପ୍ରତିମା ତ୍ରିପାଠୀ, ରଶ୍ମିତା ଆଚାର୍ଯ୍ୟ ଓ ସନ୍ତୋଷ ଦଳେଇ ପରିଚାଳନା ପାଇଁ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.