ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାରେ ପାଳିତ ହୋଇ ଯାଇଛି ବିଜୟା ଦଶମୀ ଉତ୍ସବ। ନର୍ଲା ର ନୂତନ ଥାନାଧିକାରୀ କୈବଲ୍ୟ ସେଠ ଙ୍କ ନେତୃତ୍ୱରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦଶହରା ଉତ୍ସବ। ସପ୍ତମୀ ତିଥିରୁ ନର୍ଲା ଥାନା ଭବନ କୁ ନବବଧୂ ଭଳି ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା। ଥାନା କନେଷ୍ଟବଳ, ଗ୍ରାମ ରକ୍ଷୀ ମାନେ ମାଙ୍ଗଳିକ ବାଜା ସହ ଆଇଆଇସି, ଏସ ଆଇ ଓ ଏ ଏସ ଆଇ ଙ୍କୁ ବରଣ କରି ଥାନାକୁ ପାଛୋଟି ନେଇ ଆସିଥିଲେ।ମଙ୍ଗଳବାର ଦିନ ୧୨ ଟା ପରେ ଦଶମୀ ତିଥି ଲାଗୁ ଥିବାରୁ ୧୨.୩୦ ରେ ଆଇଆଇସି ଶ୍ରୀ ସେଠ୍ ଙ୍କ ନେତୃତ୍ୱରେ ସ୍ଥାନୀୟ ରାଣୀ ବନ୍ଧରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ନର୍ଲା ଥାନାର ସମସ୍ତ କର୍ମଚାରୀ କଳସ ଯାତ୍ରାରେ ସାମିଲ ହୋଇଥିଲେ। ବେଦ ମନ୍ତ୍ରରେ ପୁଷ୍କରିଣୀ ତୁଠ ପ୍ରକମ୍ପିତ ହୋଇ ଉଠିଥିଲା। ଥାନା ଭିତରେ କଳସ ସ୍ଥାପନା ପରେ ଆରମ୍ଭ ହୋଇଥିଲା ଦଶହରା ପୂଜା। ଆଗରୁ ମଧ୍ୟ ନର୍ଲା ଥାନାରେ ଦଶହରା ଉତ୍ସବ ପାଳିତ ହେଉଥିଲା। ପୂଜା ତ ହେଉଥିଲା ହେଲେ ବୋଦା ବଳିକୁ ପ୍ରାଧାନ୍ୟ ଦିଆଯାଉଥିଲା। ହେଲେ ଚଳିତ ବର୍ଷ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି ନର୍ଲା ଥାନାରେ ଦଶହରା ପୂଜା। କର୍ତ୍ତା ଭାବରେ ଆଇଆଇସି କୈବଲ୍ୟ ସେଠ ଦାୟୀତ୍ୱ ନିର୍ବାହନ କରିଥିବା ବେଳେ ପୂଜକ ଭାବରେ ପଣ୍ଡିତ ନୀଳ ମାଧବ ପାଢ଼ୀ ଓ ସହଯୋଗୀ ଭାବରେ ସତ୍ୟ ପାଣ୍ଡେ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ଯଜ୍ଞାହୂତିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ଷ୍ଟାଫ ମା ଦୁର୍ଗା ଙ୍କ ନିକଟରେ ଯଜ୍ଞାହୂତି ପ୍ରଦାନ କରି ଅଞ୍ଚଳର ମଙ୍ଗଳ ମନାସୀଥିଲେ। ନର୍ଲା ର ବୁଦ୍ଧିଜୀବୀ, ଲୋକ ପ୍ରତିନିଧି ମାନଙ୍କୁ ମଧ୍ୟ ଥାନା ତରଫରୁ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ମହିଳା କର୍ମଚାରୀ ପୂଜା ପରିଚାଳନାରେ ସହଯୋଗ କରିଥିଲେ। ଏସ ଆଇ ଦିପ୍ତି କାନ୍ତ ବାରିକ, ଏ ଏସ ଆଇ ଅବନୀ ଖୁରା, ପ୍ରଦୀପ ସେଠୀ, ବୀରେନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କନେଷ୍ଟବଳ, ଗ୍ରାମରକ୍ଷୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସାମୂହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଖୁବ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ପୂଜା ସମ୍ପନ୍ନ ହୋଇଥିବାରୁ ସମସ୍ତ ଷ୍ଟାଫ ଙ୍କୁ ଧନ୍ୟବାଦ ଦେଇଛନ୍ତି ଆଇଆଇସି ଶ୍ରୀ ସେଠ।






