ନଭେମ୍ବର ୧ ଭବାନୀପାଟଣାରେ ବାର୍ଦ୍ଧକ୍ୟରୋଗ ସମ୍ପର୍କିତ ଶିକ୍ଷା ସମାବେଶ ‘ଜେରିୱିନ୍ – ୨୦୨୬’  

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ନଭେମ୍ବର ମାସ ୧ ତାରିଖ  ରବିବାର ଦିନ ‘ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆ’, ଓଡ଼ିଶା ଷ୍ଟେଟ୍ ଚାପ୍ଟର୍ ତରଫରୁ ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ପ୍ରଥମଥର ପାଇଁ ‘ଜେରିୱିନ୍ – ୨୦୨୬’ ଶୀର୍ଷକ ଏକ ମଧ୍ୟବର୍ତ୍ତୀକାଳୀନ ନିରନ୍ତର ଶିକ୍ଷା ସମାବେଶ ଅନୁଷ୍ଠିତ ହେବ। ହେବାକୁ ଥିବା ଏହି ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତ‌ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳଳୟର ଭେଷଜ ବିଶେଷଜ୍ଞ ଡା. ଦୀନବନ୍ଧୁ ସାହୁଙ୍କ ସୂଚନା ଅନୁଯାୟୀ ଏହି କାର୍ଯକ୍ରମଟି ୧ ନଭେମ୍ବର, ରବିବାର ଦିନ ସକାଳ ୯ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି ଶିକ୍ଷା ସମାବେଶରେ ରାଜ୍ୟ ଶାଖା ସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଫେସର ଏସ୍.ଏନ୍. ସ୍ଵାଇଁ, ଡା. ଭରତ ପାଣିଗ୍ରାହୀ, ପ୍ରଫେସର ଜୟନ୍ତ କୁମାର ପଣ୍ଡା, ପ୍ରଫେସର ମହେନ୍ଦ୍ର ସାମଲ, ପ୍ରଫେସର ଶ୍ରୀକାନ୍ତ ଧର, ପ୍ରଫେସର ସନ୍ତୋଷ ସ୍ଵାଇଁ ଆଦି ପ୍ରମୁଖଙ୍କ ସମେତ ବହୁ ଅଭିଜ୍ଞ ଭେଷଜ ବିଶେଷଜ୍ଞ ଉପସ୍ଥିତ ରହି ବାଦ୍ଧକ୍ୟ ତଥା ବାଦ୍ଧକ୍ୟଜନିତ ବିଭିନ୍ନ ରୋଗ ଏବଂ ଏହାର ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମଟି ଆଞ୍ଚଳିକ ଡାକ୍ତର ତଥା ପଡ଼ୋଶୀ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ବି ଉପାଦେୟ ସାବ୍ୟସ୍ତ ହେବ ବୋଲି ଡା.ଦୀନବନ୍ଧୁ ସାହୁ କହିଛନ୍ତି।

ଏହି ମଧ୍ଯବର୍ତ୍ତୀକାଳୀନ ନିରନ୍ତର ଶିକ୍ଷା ସମାବେଶ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟର ଭେଷଜ ବିଭାଗୀୟ ମୁଖ୍ୟ  ପ୍ରଫେସର ଡା. ଅୟସକାନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଟିର ବିଶେଷ ସଫଳତା ତଥା ବାଦ୍ଧକ୍ୟ ଜନିତ ରୋଗ ଓ ବିଭିନ୍ନ  ସମସ୍ୟା ସମ୍ପର୍କିତ ଜ୍ଞାନ ଆହରଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ହରେକୃଷ୍ଣ ଶତପଥୀ, ଆଇଏମଏ, କଳାହାଣ୍ଡି ଜିଲ୍ଲା ଶାଖାର ସମ୍ପାଦକ ଡା. ରବିନାରାୟଣ ସେନାପତି ଓ ସମ୍ମିଳନୀ ସମ୍ପାଦକ ଡା. ଦୀନବନ୍ଧୁ ସାହୁ ସାହୁ ପ୍ରମୁଖ ଆଗ୍ରହୀ ସମସ୍ତ ଅଞ୍ଚଳିକ ଡାକ୍ତରମାନଙ୍କୁ ଯୋଗଦାନ ନିମନ୍ତେ ବିଶେଷ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.