ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଏବଂ ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱନାଥ ତରାଇ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲା ଗସ୍ତ କରି ଜିଲ୍ଲାର ସମସ୍ତ ପିଏମଶ୍ରୀ ବିଦ୍ୟାଳୟକୁ ବୁଲି ଦେଖିବା ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଛନ୍ତି। ବିଦ୍ୟାଳୟ ପରିଦର୍ଶନ ଓ ସମୀକ୍ଷା ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ନିର୍ଦ୍ଦେଶକଙ୍କ ସହ ଉପସ୍ଥିତ ଥିଲେ। ସେ ବିଦ୍ୟାଳୟର ସୁପରିଚାଳନା ତଥା ଭିତ୍ତିଭୂମି ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ଉନ୍ନତ ପ୍ରଦର୍ଶନ ଓ ବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣକୁ ଗୁରୁତ୍ୱ ପ୍ରଦାନ କରିଥିଲେ।

ଦ୍ୱିତୀୟ ଦିନରେ ଭବାନୀପାଟଣା ଜେଲ ମଧ୍ୟରେ ଥିବା ଅନ୍ତେବାସୀଙ୍କ ସାକ୍ଷରତା ପାଇଁ ପଦକ୍ଷେପ ନେଇ ତାଙ୍କୁ ଉଲ୍ଲାସ ସାକ୍ଷରତା ପୁସ୍ତକ ବଣ୍ଟନ କରିବା ସହ ଜେଲ ମଧ୍ୟରେ ପାଠ ପଢ଼ିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ମେଦିନୀପୁର ଗ୍ରାମଠାରେ ବରିଷ୍ଠ ନାଗରିକ ସଂଘଙ୍କ ମାଧ୍ୟମରେ ଗ୍ରାମର ନବସାକ୍ଷରମାନଙ୍କୁ ଉଲ୍ଲାସ ପୁସ୍ତକ ବଣ୍ଟନ କରି ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ମେଦିନୀପୁର ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ଜିଲ୍ଲା ଶିକ୍ଷା ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରକାଶରେ ଏ ୱାନ୍ ଗ୍ରେଡ ହାସଲ ପାଇଁ ଚିହ୍ନଟ ହୋଇ ସ୍ୱତନ୍ତ୍ର ମାର୍ଗଦର୍ଶନ ଶିବିରରେ ଅଧ୍ୟୟନ କରୁଥିବା ଭବାନୀପାଟଣା ବ୍ଲକର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଅପରାହ୍ନରେ ସମସ୍ତ ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର କର୍ମଚାରୀଙ୍କୁ ନେଇ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି, ସମସ୍ତ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ଏବଂ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ଶତ ପ୍ରତିଶତ ସାକ୍ଷରତା ହାସଲ କରିବା ପାଇଁ ସେ ସମସ୍ତଙ୍କୁ ଅପିଲ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନି, ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ରୁପସିଂ ରାଉତ, ହରିଶ ଚନ୍ଦ୍ର ମୁଣ୍ଡ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲାରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠିକ ସମୟରେ ନ୍ୟାୟୋଚିତ ପଦୋନ୍ନତି ପ୍ରଦାନ କରାଯାଇଥିବାରୁ ରାଜ୍ୟ ସଭାପତି ଶ୍ରୀ ଧୀରେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକଙ୍କ ଏହି ଗସ୍ତ ଜିଲ୍ଲାରେ ଏକ ସକାରାତ୍ମକ ଶୈକ୍ଷିକ ବାତାବରଣ ସୃଷ୍ଟି କରିଥିବା ପରିଲକ୍ଷିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.