ପ୍ରକୃତିର କୋଳରେ ଜଳରଙ୍ଗର ଯାଦୁ: ନୂଆପଡ଼ା ଓ ବଲାଙ୍ଗୀରରେ ଅନୁଷ୍ଠିତ ହେବ ଦୁଇଦିନିଆ ଚିତ୍ରକଳା ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା ଓ ସଂସ୍କୃତିକୁ ଜଳରଙ୍ଗରେ ଜୀବନ୍ତ ରୂପ ଦେବା ଉଦ୍ଦେଶ୍ୟରେ ଆସନ୍ତା ଅକ୍ଟୋବର ୨୪ ଓ ୨୫ ତାରିଖରେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଦୁଇଦିନିଆ ପ୍ଲେନ୍ ଏୟାର୍ ଜଳରଙ୍ଗ ଚିତ୍ରକଳା ଶିବିର ଆୟୋଜିତ ହେବ। ଏହି ଶିବିରରେ ପଶ୍ଚିମ ଓଡ଼ିଶାର ୧୩ ଜଣ ପ୍ରତିଭାସମ୍ପନ୍ନ ଜଳରଙ୍ଗ ଚିତ୍ରଶିଳ୍ପୀ କେଦାର ନାୟକ, ମନୋରଞ୍ଜନ ଜୟପୁରିଆ, ଚିନ୍ତାମଣି ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମେହେର, ସୁଶାନ୍ତ ମେହେର, ବୃନ୍ଦାବନ ବିଶୀ, ପ୍ରଭୁଦାୟଲ ତୀର୍କି, ବିକାଶ ମାଝୀ, ନୀତିଶ କୁମାର ସାହୁ, ଦକ୍ଷ ଜୟପୁରିଆ, ପ୍ରିୟାଂଶି ପ୍ରିୟଦର୍ଶିନୀ ପ୍ରଧାନ, ଦିବ୍ୟାଂଶୀ ସ ଓ କନିଷକା ସ ଅଂଶଗ୍ରହଣ କରିବେ। ଶିବିରର ପ୍ରଥମ ଦିନ ଅକ୍ଟୋବର ୨୪ରେ ବଲାଙ୍ଗୀର ଜିଲ୍ଲାର ଐତିହାସିକ ସ୍ଥଳୀ ରାଣୀପୁର ଝରିଆଲରେ ଏବଂ ଦ୍ୱିତୀୟ ଦିନ ଅକ୍ଟୋବର ୨୫ରେ ନୂଆପଡ଼ା ଜିଲ୍ଲାର ତିଖାଲି ଡ୍ୟାମ୍‌ଠାରେ ଚିତ୍ରକଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶିଳ୍ପୀମାନେ ଏହି ସ୍ଥାନଗୁଡ଼ିକର ପ୍ରାକୃତିକ ପରିବେଶ, ଜଳରାଶି, ସବୁଜିମା ଓ ଐତିହାସିକ କୀର୍ତ୍ତିରାଜିକୁ ସାମ୍ନାରେ ରଖି ସିଧାସଳଖ କାଗଜରେ ଜଳରଙ୍ଗ ମାଧ୍ୟମରେ ଚିତ୍ର ଆଙ୍କିବେ। ପ୍ରକୃତିକୁ ନିକଟରୁ ଅନୁଭବ କରି ଚିତ୍ରାଙ୍କନ କରିବାର ଏହି ପଦ୍ଧତିକୁ ‘ପ୍ଲେନ୍ ଏୟାର୍ ପେଣ୍ଟିଂ’ କୁହାଯାଏ। ଏହା କେବଳ ଏକ ଚିତ୍ରକଳା ଶିବିର ନୁହେଁ, ବରଂ ପ୍ରକୃତି ଓ କଳା ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ କଳାତ୍ମକ ଓ ସାଂସ୍କୃତିକ ପରିଚୟକୁ ବ୍ୟାପକ ଭାବେ ପ୍ରଚାର କରିବାର ଏକ ଅଭିନବ ପ୍ରୟାସ। ଏହି କଳାତ୍ମକ ଆୟୋଜନରେ ଯୋଗଦେବା ପାଇଁ କଳାପ୍ରେମୀ, ଚିତ୍ରକଳା ଅନୁରାଗୀ ଓ ସାଧାରଣ ଜନତାଙ୍କୁ ଆୟୋଜକଙ୍କ ପକ୍ଷରୁ ଆମନ୍ତ୍ରଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.