ଓଡ଼ିଆ ବାର୍ତ୍ତା/ ସଇଁତଲା| ବଲାଙ୍ଗୀର (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ସ୍ଥିତ କୋଶଲ କଳା ମଣ୍ଡଳ ପଡ଼ିଆରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସଏସ) ତରଫରୁ ଜିଲ୍ଲା ସ୍ତରୀୟ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି| ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୨ ଶହରୁ ଅଧିକ ପୂର୍ଣ୍ଣଗଣବେଶଧାରୀ ସ୍ୱୟଂସେବକ ନଗରରେ ପଥ ସଞ୍ଚଳନ କରିଥିଲେ|ହରେକୃଷ୍ଣ ରଣାଙ୍କ ମୁଖ୍ୟ ଶିକ୍ଷକତ୍ୱରେ ପଥ ସଞ୍ଚଳନ ଅପରାହ୍ନ ୨ଟା ୩୦ରେ କଦମ ପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ବାହାରି ୩ଟା ୩୦ରେ କୋଶଲ କଳା ମଣ୍ଡଳ ପଡ଼ିଆରେ ପହଞ୍ଚିଥିଲା| ୪ଟି ସ୍ୱୟଂସେବକ ବାହିନୀ, ୨ଟି ଘୋଷ ବାହିନୀ, ଗୋଟିଏ ବାଇକ ବାହିନୀ, ଗୋଟିଏ ରଥ ଏଥିରେ ସାମିଲ ହୋଇଥିଲେ| ଦୀପକ ପୁଟେଲ, ରୋଶନ ସାହୁ ଘୋଷ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ| କୋଶଲ କଳା ମଣ୍ଡଳ ପଡ଼ିଆରେ ଜିଲ୍ଲା କାର୍ଯ୍ୟବାହ ସୁଶାନ୍ତ କୁମାର ନାଏକଙ୍କ ସଂଯୋଜନାରେ ଜିଲ୍ଲା ସ୍ତରୀୟ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା| ଏହି ଅବସରରେ ସ୍ୱୟଂସେବକ ଶାରୀରିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ| ସାମାଜିକ କର୍ମୀ ଛତ୍ରଧାରୀ ଅଗ୍ରୱାଲ ମୁଖ୍ୟ ଅତିଥି, ବିଭାଗ ସଙ୍ଘଚାଳକ
ଯତୀନ୍ଦ୍ର ପାଠୀ, ଜିଲ୍ଲା ସଙ୍ଘଚାଳକ ପ୍ରଭାକର ପାତ୍ର ସମ୍ମାନିତ ଅତିଥି, ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ| ସଙ୍ଘକୁ ୧୦୦ ବର୍ଷ ପୁରିଛି| ସେବା, ସମର୍ପଣ, ବ୍ୟକ୍ତି ନିର୍ମାଣ ଓ ରାଷ୍ଟ୍ର ଗଠନରେ ସଙ୍ଘର ଭୂମିକା ଉଲ୍ଲେଖନୀୟ| ସଙ୍ଘକୁ ସର୍ବ ଵ୍ୟାପୀ, ସର୍ବ ସ୍ପର୍ଶୀ ତଥା ରାଷ୍ଟ୍ରକୁ ପରମ ବୈଭବ ସ୍ଥିତିକୁ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱୟଂସେବକ ଅହର୍ନିଶ କର୍ମରତ ରହିଛନ୍ତି ବୋଲି ବକ୍ତାଗଣ କହିଥିଲେ|ରାଧାମାଧବ ବେହେରା ବ୍ୟକ୍ତିଗତ ଗୀତ ଗାନ କରିଥିଲେ| ସନ୍ଥ ସ୍ଵାମୀ ପରମାନନ୍ଦ ସରସ୍ଵତୀ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଶ୍ରୀବତ୍ସ ବେହେରା, ଆରଏସଏସ ରାଜ୍ୟ ସମ୍ପର୍କ ପ୍ରମୁଖ ବରିଷ୍ଠ ଆଇନଜୀବୀ କମ୍ବୁପାଣି ପାଢ଼ୀ, ବିଭାଗ କାର୍ଯ୍ୟବାହ ଦିଲ୍ଲୀପ ସାହୁଙ୍କ ସମେତ ବହୁ ସଂଖ୍ୟାରେ ସ୍ୱୟଂସେବକ, ଶୁଭାକାଂକ୍ଷୀ, ଜନ ସାଧାରଣ ସଭାରେ ଉପସ୍ଥିତ ରହିଥିଲେ| ବୀରକିଶୋର ସୁନା ଧନ୍ୟବାଦ ଅର୍ପଣ କରିଥିଲେ|





