ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଳାକୂପା ଗ୍ରାମରେ ଶ୍ରୀ ପାତ୍ର ବୁଢ଼ାରାଜାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଓ ପୂଜାର୍ଚ୍ଚନା ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଶୋଭାଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଶ୍ରୀ ପାତ୍ର ବୁଢ଼ାରାଜା ଦୀର୍ଘ ପ୍ରାୟ ଶହେ ବର୍ଷ ଧରି ଗ୍ରାମରେ ପୂଜିତ ହେବାର ପରମ୍ପରା ସହ ଜଡ଼ିତ ରହିଥିଲେ ମଧ୍ୟ ନିୟମିତ ପୂଜାର୍ଚ୍ଚନା କରାଯାଉନଥିଲା। ଚଳିତ ବର୍ଷ ଗ୍ରାମବାସୀଙ୍କ ଉଦ୍ୟମରେ ଭବ୍ୟ କଳସ ଶୋଭାଯାତ୍ରା ସହ ପୂଜାର୍ଚ୍ଚନା ଆୟୋଜନ କରାଯାଇଥିଲା। ଏହାକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶୋଭାଯାତ୍ରାରେ ମହିଳାମାନେ ଉତ୍ସାହର ସହ ଯୋଗଦେଇ ଥିବା ବେଳେ ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଗ୍ରାମବାସୀଙ୍କ ସହଯୋଗ ଓ ଆଗ୍ରହ ଦେଖିବାକୁ ମିଳିଥିଲା। ଏହି ପୂଜାର୍ଚ୍ଚନା କାର୍ଯ୍ୟ ହରି ଗୌଡ଼ଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ବେଳେ ପାତ୍ର ବୁଢ଼ା ପୂଜା କମିଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାଝୀ, ଦେବାଗିରି ନାଏକ, ରମେଶ କରୁଆଁ, ଟେକୁରାମ ପାଣି, ରବି ମାଝୀ, ଦାନ ମାଝୀ, ଅଙ୍କୁର ଗୌଡ଼, ଦନୁବୋଇ ମାଝୀ ସମେତ ଗ୍ରାମବାସୀ ଆୟୋଜନରେ ସହଯୋଗ କରିଥିଲେ। ଗ୍ରାମରେ ଦୀର୍ଘଦିନ ପରେ ଏଭଳି ଧାର୍ମିକ ଆୟୋଜନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଏହା ଗ୍ରାମର ଧାର୍ମିକ ପରମ୍ପରାକୁ ପୁନର୍ଜୀବିତ କରିବା ସହ ସାମୂହିକ ଏକତା ଓ ଭାଇଚାରାକୁ ଆହୁରି ମଜଭୁତ କରିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।






