ରୁପ୍ରାରୋଡ ଅଞ୍ଚଳରେ ମାତିଛନ୍ତି ଦଲାଲ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ହଜାର ହଜାର ଟଙ୍କା ଖର୍ଚ୍ଚ କରି ଅତି କଷ୍ଟରେ ଫସଲ ଉପୁଜାଇ ତାକୁ ରୋଗ ପୋକ ଦାଉରୁ ରକ୍ଷାକରି ଅମଲ କରିଥାଏ ଚାଷୀ। କିନ୍ତୁ ଅମଲ ହେବାକ୍ଷଣି ଛଞ୍ଚାଣ ପରି ସେହି ଫସଲକୁ ଝାମ୍ପି ନେଇଥାଏ ଦଲାଲ। ଚାଷୀ ଆଖିରୁ ଲୁହ ଝରାଇବା ଛଡ଼ା ଅନ୍ୟ କୌଣସି ଉପାୟ ନଥାଏ। ଅଭାବ ଅନାଟନରେ ସମୟ ବିତାଉଥିବା ଚାଷୀଙ୍କୁ ଅଗ୍ରୀମ ଟଙ୍କା ଦେଇ ପରେ ଶୋଷଣ କରିଥାଏ ଦଲାଲ। ଏପରି ଚିତ୍ର ଦେଖିବାକୁ ମିଳିଛି ନର୍ଲା ବ୍ଲକର ରୁପ୍ରାରୋଡ ଅଞ୍ଚଳରେ। ଧାନ ଅମଳ ହେବାକୁ ଆଉ ବହୁତ ସମୟ ବାକି ଅଛି କିନ୍ତୁ ଚାଷୀଙ୍କୁ ଧାନ ପାଇଁ ଅଗ୍ରିମ ଟଙ୍କା ଦେଉଛନ୍ତି ଦଲାଲ। ସ୍ଥାନୀୟ ଅଞ୍ଚଳର ଦଲାଲମାନେ ଏବେଠାରୁ ଚାଷୀମାନଙ୍କୁ କୁଇଣ୍ଟାଲ ପ୍ରତି ୧୩୦୦ ରୁ ୧୫୦୦ ମଧ୍ୟରେ ଟଙ୍କା ଦେଉଥିବା ଖବର ହସ୍ତଗତ ହୋଇଛି। ପାର୍ବଣ ଋତୁ ଆରମ୍ଭ ହେବା ସହ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଚାଷୀମାନଙ୍କୁ ଟଙ୍କାର ଆବଶ୍ୟକତା ପଡୁଛି। ଏହାର ଭରପୁର ମଉକା ନେଉଛନ୍ତି ଦଲାଲ। ଦଲାଲମାନେ ଚାଷୀମାନଙ୍କୁ ଅତି କମ ଦାମ ଦେଉଛନ୍ତି, ଧାନ ଅମଳ ପରେ ଚାଷୀ ସେମାନଙ୍କୁ ଚୁକ୍ତି ମୁତାବକ କୁଇଣ୍ଟାଲ କୁଇଣ୍ଟାଲ ଧାନ ଆଣି ଦେବ। ଏଥିରେ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ ହେବ। ରୁପ୍ରାରୋଡ ବସ୍ତିର ପ୍ରବେଶ ପଥରେ ଥିବା ବଲବସପୁରର ଘୁଷୁରୀ ବନ୍ଧ ତଳ ଏହି ବେନିୟମ କାରବାରର ହବ୍ ପାଲଟିଥିବା ଆଲୋଚନା ହେଉଛି। ବିଶେଷ କରି ଜଣେ ବ୍ୟବସାୟୀ ଆଖପାଖ ଗାଁର ଚାଷୀମାନଙ୍କୁ ଶୋଷଣ କରୁଥିବା ଚର୍ଚ୍ଚା ହେଉଛି। ଧାନ ଅମଳ ଋତୁରେ ବ୍ୟବସାୟୀ ଜଣକର ପାଖକୁ ଚାଷୀମାନେ ବସ୍ତା ବସ୍ତା ଧାନ ଆଣି ସାଗ ମାଛ ଦରରେ ଦେଇଥାନ୍ତି। ନୂଆଖାଇ ସମୟରୁ ଚାଷୀଙ୍କୁ ଧାନ ପାଇଁ ଅଗ୍ରୀମ ଟଙ୍କା ଦେବା ଆରମ୍ଭ ହୋଇ ଦଶହରା, କାର୍ତ୍ତିକ, ମାର୍ଗଶିର ମାସ ପର୍ଯ୍ୟନ୍ତ ଚାଲିଥାଏ। ଏହା ଆଜିକାର କଥା ନୁହଁ, ବର୍ଷ ବର୍ଷ ଧରି ଚାଲି ଆସୁଛି। ତେବେ ଧାନ ଦଲାଲ ମାନଙ୍କ ପ୍ରତି ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଏହି ବେନିୟମ କାର୍ଯ୍ୟ ଉପରେ ରୋକ୍ ଲଗାଇବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।





