ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶାରଦୀୟ ଦୁର୍ଗାପୂଜାକୁ ନେଇ ଲାଞ୍ଜିଗଡ଼ ବ୍ଲକ ସାରା ଉତ୍ସବମୁଖର ହୋଇଉଠିଛି। ବିଶେଷ କରି ପୋଖରୀବନ୍ଧ ଠାରେ ଏଥର ପୂଜାର ଚମକ ଦ୍ୱିଗୁଣିତ ହୋଇଛି।ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ସାର୍ବଜନୀନ ଦୁର୍ଗାପୂଜା ଏଥର ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ଏହି ପୂଜା ମାଁ ହୀରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ଆୟୋଜନ କରାଯାଉଛି। ଏଥି ପାଇଁ ଶନିବାର ପୋଖରୀବନ୍ଧ ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ଡ଼ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କମିଟିର ସମସ୍ତ ସଦସ୍ୟ, ଆବାଳବୃଦ୍ଧବନିତା ତଥା ପୋଖରୀବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳ ଓ ପଡ଼ୋଶୀ ରାୟଗଡ଼ା ଜିଲ୍ଲାରୁ ଏକ ହଜାରରୁ ଊର୍ଦ୍ଧ୍ୱ ମହିଳା ଏକ ବର୍ଣ୍ଣର ଶାଢ଼ୀ ପିନ୍ଧି ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ। ମହିଳାମାନେ ସ୍ଥାନୀୟ ନାଳରୁ ଜଳ ନେଇ ଆସି ମଣ୍ଡପରେ କଳସ ସ୍ଥାପନ କରିଥିଲେ।
ଏଥିରେ ପୂଜା କର୍ତ୍ତା ଭାବେ ରମେଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତିପ୍ରିୟା ସାହୁ ଦାୟିତ୍ୱ ତୁଲାଉଛନ୍ତି। ମୁଖ୍ୟ ପୂଜକ ଭାବେ ନରେଶ ଦାଶ ପୂଜା ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କୁ ଚିତ୍ତରଞ୍ଜନ ସାବତ ଓ ମହେଶ୍ୱର ପ୍ରହରାଜ ସହଯୋଗ କରୁଛନ୍ତି। ଶନିବାର ଦିନ କଳସ ଯାତ୍ରା ପରେ ରବିବାର ପୂଜା ଆରମ୍ଭ ସହ ଚକ୍ଷୁଦାନ ଓ ପ୍ରାଣ ପ୍ରତିଷ୍ଠା, ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା। ପୂଜା ମଣ୍ଡପର ପ୍ରବେଶ ପଥରେ ରଙ୍ଗିନ ଆଲୋକ ମାଳାରେ ସୁସଜ୍ଜିତ ବିଶାଳ ଗେଟ୍ ନିର୍ମାଣ କରାଯାଇଛି, ଯାହା ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସନ୍ଧ୍ୟା ସମୟରେ ଆଲୋକସଜ୍ଜାର ସୌନ୍ଦର୍ଯ୍ୟ ମନ ମୋହୁଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଦଶମୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣାରେ ଦର୍ଶକଙ୍କ ପାଇଁ ଅପେରା, ନୃତ୍ୟ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।

ଏଥିରେ କାର୍ଯ୍ୟକାରୀ ସଭାପତି ସନାତନ ବିଶି, ସାଧାରଣ ସମ୍ପାଦକ ଭବାନୀଶଙ୍କର ବାଣୁଆ, ଉପ-ସଭାପତି କର୍ଣ୍ଣ ମାଝୀ, କୋଷାଧ୍ୟକ୍ଷ ଶଙ୍କର ପ୍ରଧାନୀ, ଉପଦେଷ୍ଟା ପିତାମ୍ବର ବିଶି, ଉଗ୍ରସେନ ବାଗ, ବରିଷ୍ଠ ସଦସ୍ୟ ଭଗବାନ ରାଉତ, ସଦାଶିବ ମାଝୀ, ଗ୍ରାମ ଗୌନ୍ତିଆ କୁଳମଣୀ ବାଣୁଆ, ନିଲୁ ସାହୁ, ସୌମ୍ୟରଞ୍ଜନ ବେହେରା, ମିଲୁ ବାରିକଙ୍କ ସମେତ ସମସ୍ତ ଯୁବକ ଓ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି।





