ସୁନାଖଡିକା ଗାଁରେ ଉତ୍କଟ ଜଳ ସଙ୍କଟ: ଗୁହାରୀ ଶୁଣୁ ନାହାନ୍ତି ସରପଞ୍ଚ, ନିରବ ପ୍ରଶାସନ

● ବର୍ଷ ବର୍ଷ ଧରି ନାଳର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ଲାଞ୍ଜିଗଡ: ମାଳିଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁରେ ବର୍ଷ ବର୍ଷ ଧରି ନାଳର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ। ଗାଁରେ ଗୋଟିଏ ମାତ୍ର ନଳକୂପ ଥିବା ଯୋଗୁଁ ପାନୀୟ ଜଳ ସମସ୍ୟା ରହିଛି। ନୂତନ ନଳକୂପ ଯୋଗାଇ ଦେବା ପାଇଁ ଦାବୀକରି ଆସିଥିଲେ ମଧ୍ୟ ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନ ଶୁଣୁନଥିବା ଗ୍ରାମର ଶତାଧିକ ମହିଳା ଅଭିଯୋଗ କରିଛନ୍ତି।ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ଅଧିନସ୍ଥ ସୁନାଖଡିକା ଗାଁରେ ୫୦ଟି ପରିବାର ରହୁଥିବା ବେଳେ ଜନସଂଖ୍ୟା ୪୫୦ରୁ ଅଧିକ। ଗାଁରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ପାନୀୟ ଜଳ ହେଉଛି ମୁଖ୍ୟ ସମସ୍ୟା। ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୨ କିମି ଦୂରରେ ଥିବା ବେଳେ ବର୍ଷ ବର୍ଷ ଧରି ଏହି ଗାଁରେ ପାନୀୟଜଳର ସମସ୍ୟା ଲାଗିରହିଛି।

ଆଜିକୁ ୭୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୂଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଗ୍ରାମରେ ୨ ଗୋଟି ନଳକୂପ ଥିଲା।ବହୁ ବର୍ଷ ଧରି ଗୋଟିଏ ନଳକୂପ ଅଚଳ ହୋଇ ପଡି ରହିଥିବା ବେଳେ ଆଉ ଗୋଟିକରେ ଗ୍ରାମର ଶହ ଶହ ମହିଳା ପାଣି ଆଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ପ୍ରକାଶ କରିଛନ୍ତି। ଫଳରେ ପାଣିପାଇଁ ନିତିଦିନ ନିଜ ନିଜ ମଧ୍ୟରେ ଛୋଟ ଛୋଟ କଳହ ହେଉଥିବା ଦେଖିବାକୁ ମିଳୁଛି। ଖରାଦିନରେ ମାର୍ଚ୍ଚ ମାସରୁ ହିଁ ଥିବା ନଳକୂପରେ ପାଣି କମ୍ ପରିମାଣରେ ବାହାରୁଛି। ଗୋଟିଏ ହାଣ୍ଡି ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି। ତେଣୁ ଗ୍ରାମ ନିକଟସ୍ଥ ନାଳରୁ ଦୂଷିତ ପାଣିକୁ ବାଧ୍ୟ ହୋଇ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ମହିଳା ମାନେ ପ୍ରକାଶ କରିଛନ୍ତି। ଏହି ନାଳ ପାଣି ଗୋଳିଆ ହେବା ସହ ନାନାଦି କୀଟ ପତଙ୍ଗ, ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ବେଳେ ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଏମାନଙ୍କ ଶରୀରରେ ରୋଗ ଘରକରି ରହିଛି। ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଅତିଶୀଘ୍ର ଏହାର ସମାଧାନ ନ ହେଲେ ରାଜରାସ୍ତାକୁ ଓଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ଏହି ଗାଁର ସମସ୍ୟା ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ ନିଲେଶଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.