ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ୩୫ତମ ଡ. ହରେକୃଷ୍ଣ ମହତାବ ମେମୋରିଆଲ ଫାଉଣ୍ଡେସନ ଲେକଚର

– ଭାରତ ଏକ ବଡ଼ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି : ଡ. ଭି. ଅନନ୍ତ ନାଗେଶ୍ୱରନ୍

– ବରପୁତ୍ରମାନଙ୍କ ଅବଦାନ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ: ମୁଖ୍ୟ ଅତିଥି ଡ. ଭର୍ତ୍ତୃହରି ମହତାବ

– ​ଆଧୁନିକ ଓଡ଼ିଶା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନର ଅନ୍ୟତମ ପ୍ରମୁଖ ନିର୍ମାତା ଥିଲେ ଡ. ମହତାବ : କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ

– ​ସମସ୍ୟା ନୁହେଁ, ସମାଧାନର ସୂତ୍ର ଥିଲେ ଡ. ମହତାବ: ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ୩୫ତମ ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନ ମେମୋରିଆଲ ଲେକଚର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ସହ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକର ସାଂସଦ ତଥା ଫାଉଣ୍ଡେସନର ଅଧ୍ୟକ୍ଷ ଡ. ଭର୍ତ୍ତୃହରି ମହତାବ କହିଲେ ଯେ, ବରପୁତ୍ର ମାନଙ୍କ ଅବଦାନକୁ ଐତିହାସିକ ଚେତନାର ଅଂଶ କରି ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବା ହିଁ ଏହିପରି ମେମୋରିଆଲ ଲେକଚର ଆୟୋଜନର ମୂଳ ଉଦ୍ଦେଶ୍ୟ। ଡ. ମହତାବଙ୍କ ଲେଖା ତତ୍କାଳୀନ ସମାଜକୁ ଶିକ୍ଷିତ କରିଥିଲା ବୋଲି ସେ ମନେପକାଇବା ସହ ବିଶ୍ୱବିଦ୍ୟାଳୟ ପ୍ରେସ୍ ଦ୍ୱାରା ତାଙ୍କ ଐତିହାସିକ ବହି ଗୁଡ଼ିକର ପୁନଃମୁଦ୍ରଣ ପାଇଁ କୁଳପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମହତାବଙ୍କ ତିନୋଟି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବହି ଉନ୍ମୋଚିତ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ତଥା ଭର୍ତ୍ତୃହରି ମହତାବ, ଚଣ୍ଡୀ ପ୍ରସାଦ ନନ୍ଦ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଗୁରୁଦେବ ମେହେରଙ୍କ ଦ୍ୱାରା ସମ୍ପାଦିତ ‘ଉତ୍କଳ କେଶରୀ: ପ୍ରୋଭିନ୍ସିଆଲାଇଜିଂ ଦ ଗ୍ରାମାର୍ ଅଫ୍ ଏ ରିପବ୍ଲିକ୍’ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରେସ୍ ଦ୍ୱାରା ପୁନଃମୁଦ୍ରିତ ଦୁଇଟି ବହି — ପ୍ରଭାତ ମୁଖାର୍ଜୀଙ୍କ ରଚିତ ‘ଉତ୍କଳ ୟୁନିଭର୍ସିଟି ହିଷ୍ଟ୍ରି ଅଫ୍ ଓଡ଼ିଶା’ (ଷଷ୍ଠ ଖଣ୍ଡ) ଏବଂ ଡ. ହରେକୃଷ୍ଣ ମହତାବଙ୍କ ମୁଖ୍ୟ ସମ୍ପାଦନା ଓ ସୁଶୀଲ ଚନ୍ଦ୍ର ଦେ’ଙ୍କ ସମ୍ପାଦନାରେ ପ୍ରସ୍ତୁତ ‘ହିଷ୍ଟ୍ରି ଅଫ୍ ଦ ଫ୍ରିଡମ୍ ମୁଭମେଣ୍ଟ ଇନ୍ ଓଡ଼ିଶା’ (ପ୍ରଥମ ଖଣ୍ଡ)ର ଦ୍ୱିତୀୟ ସଂସ୍କରଣ ଅନ୍ତର୍ଭୁକ୍ତ। ବିଶ୍ୱବିଦ୍ୟାଳୟ ଦ୍ୱାରା ପୁନଃପ୍ରକାଶିତ ଏହି ଦୁଇଟି ବହିରେ ସାଂସଦ ଡ. ଭର୍ତ୍ତୃହରି ମହତାବ ମୁଖବନ୍ଧ ଏବଂ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ସମୀକ୍ଷାତ୍ମକ ଉପକ୍ରମଣିକା ଲେଖିଛନ୍ତି। ଏହି ମେମୋରିଆଲ ଲେକଚରରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଛନ୍ତି, ବର୍ତ୍ତମାନର ସମ୍ବଳ ପ୍ରତିଯୋଗିତା ଓ ଏଆଇ ଯୁଗରେ ମହତାବଙ୍କ ଚିନ୍ତାଧାରା ଅତ୍ୟନ୍ତ ପ୍ରାସଙ୍ଗିକ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ମହାତବଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଅର୍ଥନୈତିକ ଚିନ୍ତାଧାରାକୁ ପ୍ରଶଂସା କରିବା ସହ ସେ ଆଧୁନିକ ଓଡ଼ିଶା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନର ଅନ୍ୟତମ ପ୍ରମୁଖ ନିର୍ମାତା ବୋଲି କହିଥିଲେ ପ୍ରଫେସର ନନ୍ଦ । ଏଥିସହ ନିଜ ପିତାଙ୍କ ଆଦର୍ଶକୁ ଆଗକୁ ନେବା ସହ ଆଞ୍ଚଳିକ ଆକାଂକ୍ଷା ଓ ଜାତୀୟ ସ୍ୱାର୍ଥ ମଧ୍ୟରେ ସେତୁ ସାଜିଥିବା ସାଂସଦ ଡ. ଭର୍ତ୍ତୃହରି ମହତାବଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ବିଶିଷ୍ଟ ଅତିଥି ତଥା ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ. ଭି. ଅନନ୍ତ ନାଗେଶ୍ୱରନ୍ ସ୍ମାରକୀ ବକ୍ତବ୍ୟ ପ୍ରଦାନ କରି କହିଛନ୍ତି, ଭାରତ ବର୍ତ୍ତମାନ ଏକ ନୂତନ ଦିଗରେ ଆଗେଇ ଚାଲିଛି ଏବଂ ଏକ ବଡ଼ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି। ବର୍ତ୍ତମାନର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ସେ ସାମ୍ପ୍ରତିକ ଅର୍ଥନୈତିକ ପରିବର୍ତ୍ତନଗୁଡ଼ିକ ଉପରେ ଆଲୋକପାତ କରିବା ସହ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ ପାଇଁ କେଉଁ କେଉଁ କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ, ସେ ସମ୍ପର୍କରେ ବିସ୍ତୃତ ମତ ରଖିଥିଲେ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଡ. ମହତାବଙ୍କ ସ୍ମୃତିଚାରଣ କରି ତାଙ୍କୁ ସମସ୍ୟା ନୁହେଁ ବରଂ ସମାଧାନର ସୂତ୍ର ବୋଲି କହିବା ସହ ଓଡ଼ିଶାର ଏକତ୍ରୀକରଣ, ରାଜ୍ୟର ବିକାଶ ଏବଂ ବିଶ୍ୱବିଦ୍ୟାଳୟର ନିର୍ମାଣରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଏହି ମେମୋରିଆଲ ଲେକଚରର ସଂଯୋଜକ ତଥା ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ପ୍ରାରମ୍ଭିକ ପରିଚୟ ଓ ସ୍ୱାଗତ ଜଣାଇଥିବା ବେଳେ କୁଳସଚିବ ଡ. ସ୍ୱାତୀ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଡ. ଏସ୍. ଦୀପିକା ମଞ୍ଚ ପରିଚାଳନା କରିଥିଲେ। ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଜ୍ଞେଶ୍ୱର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସହ ସମାରୋହ ସମାପ୍ତ ହୋଇଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ, ପୁରାତନ ଛାତ୍ରସଂଘ ସଦସ୍ୟ, ଶିକ୍ଷାବିତ୍, ବରିଷ୍ଠ ପ୍ରଶାସକ, ରାଜନେତା ଓ ଇତିହାସ ପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.