ବାଲେଶ୍ୱରରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ‘କୋଟିଏ ହସ’ ଶିଶୁ ମହୋତ୍ସବ-୨୦୨୬

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଶିଶୁ ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସହଯୋଗରେ ଜିଲ୍ଲାସ୍ତରୀୟ ‘କୋଟିଏ ହସ-ବାର୍ଷିକ ଶିଶୁ ମହୋତ୍ସବ-୨୦୨୬’ ଶନିବାର ବାଲେଶ୍ୱର ପୌରପାଳିକା ପ୍ରକଳ୍ପ ଅଧୀନସ୍ଥ ପଟାପୋଲ ଅଙ୍ଗନବାଡ଼ି କେନ୍ଦ୍ରର ସଭାଗୃହରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମମତା) ବାମଦେବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିବା ସହ ମହୋତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋତ୍ସ୍ନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ ଶିଶୁମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ୱାର୍ଡ କାଉନସିଲର ଏସ୍‌.କେ. ନାଉସାଦ ଅଲ୍ଲୀ, ସୁରକ୍ଷା ଅଧିକାରୀ ଯୁଥିକାରାଣୀ ରାୟ ଏବଂ ପ୍ରୋଗ୍ରାମ ଅଫିସର ଗିରିବାଳା ମହାନ୍ତ ଯୋଗଦେଇ ଶିଶୁମାନେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ଶିଶୁଙ୍କ ମୁହଁରେ ହସ ଫୁଟାଇବା ସମାଜର ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ସୁଷମ ପୋଷଣ, ଉନ୍ନତ ଶିକ୍ଷା ଓ ସୁରକ୍ଷିତ ପରିବେଶ ଯୋଗାଇ ଦେଇପାରିଲେ ଶିଶୁମାନେ ସୁସ୍ଥ ଭାବେ ବଢ଼ିବା ସହ ନିଜର ପ୍ରତିଭା ବିକଶିତ କରିପାରିବେ ବୋଲି ସେମାନେ କହିଥିଲେ। ‘କୋଟିଏ ହସ’ କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ପୋଷଣ ପ୍ରଦର୍ଶନୀ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମହୋତ୍ସବରେ ପ୍ରକଳ୍ପ ସୁପରଭାଇଜର ଓ କର୍ମଚାରୀ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ମହିଳା ସଶକ୍ତିକରଣ କାର୍ଯ୍ୟାଳୟର କର୍ମକର୍ତ୍ତା, ଅଙ୍ଗନବାଡ଼ି ଓ ଆଶା କର୍ମୀ, ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ କିଶୋରୀ ବାଳିକାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରିଣୀ ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ମହୋତ୍ସବର ଉଦ୍‌ଯାପନ ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.