ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲେ କାର୍ତ୍ତିକ ସାହୁ

ଶିଶୁ ଦିବସ ଉପଲକ୍ଷେ ସ୍ବତନ୍ତ୍ର ବିଦ୍ୟାଳୟରେ ଖାଦ୍ୟ ବଣ୍ଟନ ସହ କଲେ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦୃଢ଼ ଇଚ୍ଛାଶକ୍ତି ଓ ସେବା ମନୋଭାବ ଆଗରେ ଶାରୀରିକ ଅକ୍ଷମତା ଯେ କେବେ ବାଧକ ହୋଇପାରେ ନାହିଁ, ତାହାର ଏକ ଉଦାହରଣ ସାଜିଛନ୍ତି ବାଲେଶ୍ୱର ଜିଲ୍ଲାର ଜଣାଶୁଣା ଦିବ୍ୟାଙ୍ଗ ସମାଜସେବୀ କାର୍ତ୍ତିକ ଚନ୍ଦ୍ର ସାହୁ। ନିଜେ ଶାରୀରିକ ଅକ୍ଷମତାର ସମ୍ମୁଖୀନ ହୋଇ ମଧ୍ୟ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା ସହ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ସେ। ଉଚ୍ଚଶିକ୍ଷା ହାସଲ କରିଥିବା କାର୍ତ୍ତିକ ସାହୁ ଟିଉସନ୍ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ସମାଜସେବାକୁ ନିଜ ଜୀବନର ଏକ ଅଭିନ୍ନ ଅଂଶ କରିଛନ୍ତି। ଧର୍ମପତ୍ନୀ ସବିତା ସାହୁଙ୍କ ସହଯୋଗ ଏବଂ ‘ସମୟର ଚକ୍ର’ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ସର୍ବେଶ୍ୱର ଜେନାଙ୍କ ପ୍ରେରଣାରେ ସେ ଦୀର୍ଘବର୍ଷ ଧରି ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଛନ୍ତି। ବୃକ୍ଷରୋପଣ, ରକ୍ତଦାନ ଶିବିର, ସାହିତ୍ୟ ଓ ସାଂସ୍କୃତିକ ସଭା ଆୟୋଜନ ସହ ବୃଦ୍ଧାଶ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଭଳି କାର୍ଯ୍ୟ ମାଧ୍ୟମରେ ସେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଶିଶୁ ଦିବସର ଅବ୍ୟବହିତ ପୂର୍ବରୁ କାର୍ତ୍ତିକ ସାହୁ ଏକ ସ୍ୱତନ୍ତ୍ର ବିଦ୍ୟାଳୟରେ ପହଞ୍ଚି ସେଠାକାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ, ପାଉଁରୁଟି, କଦଳୀ ଓ ସେଓ ଆଦି ବଣ୍ଟନ କରିଥିଲେ। ଏଥିସହ ବିଦ୍ୟାଳୟ ପରିସରରେ ଦୁଇଟି ଚାରା ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ଦେଇଥିଲେ। ତାଙ୍କର ଏହି ନିଆରା ଉଦ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା।

ଏହି ଅବସରରେ ସମାଜସେବୀ ବିକାଶ ପାଢ଼ୀ, ‘ସମୟର ଚକ୍ର’ର ସମ୍ପାଦକ ସର୍ବେଶ୍ୱର ଜେନା, ସମାଜସେବୀ ସତ୍ୟେନ୍ଦ୍ର ଦାସ, ଆଶ୍ରିତା ତରାଇ, ରାଜେନ୍ଦ୍ର ଦାସ, ହରିହର ବାଗ, ସାମ୍ବାଦିକ କୁଞ୍ଜମଣି ସ୍ୱାଇଁ ଓ ଜୀବନ ସଂଗ୍ରାମ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ତ୍ତିକ ସାହୁଙ୍କ ଏହି ମହତ୍ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଅତିଥିମାନେ କହିଥିଲେ ଯେ, କାର୍ତ୍ତିକ ସାହୁଙ୍କ ଏହି ପ୍ରୟାସ ଦିବ୍ୟାଙ୍ଗ ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ଓ ଆତ୍ମବଳ ବୃଦ୍ଧି କରିବା ସହ ସେମାନେ ମଧ୍ୟ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଏକ ଦୃଢ଼ ବାର୍ତ୍ତା ଦେଇଛି। ନିଜେ ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଓ ଆଶା ସଞ୍ଚାର କରିବାର ଏହି ଉଦ୍ୟମ ଶିଶୁ ଦିବସର ପ୍ରକୃତ ମହତ୍ତ୍ୱକୁ ପ୍ରତିପାଦିତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.