କଳାହାଣ୍ଡି ଯୁବ ବିଜେଡ଼ି ଉପସଭାପତି ହେଲେ ହରିଶଙ୍କର ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଦାଇତ୍ୱ ଅର୍ପଣ କରିଛି ବିଜୁ ଜନତା ଦଳ। ଅଞ୍ଚଳରେ ଜଣେ ସୁସଂଗଠକ ତଥା ଉଦୀୟମାନ ଯୁବ ନେତୃତ୍ୱର ଅଧିକାରୀ ହରିଶଙ୍କରଙ୍କୁ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଭାବେ ମନୋନୀତ କରାଯାଇଛି। ଏନେଇ ବିଦ୍ଧିବଦ୍ଧ ଭାବେ ଶଙ୍ଖ ଭବନରୁ ଘୋଷଣା ହୋଇଛି। ନର୍ଲା ବ୍ଳକ୍ ଉଲିକୁପା ଗ୍ରାମର ସ୍ଥାୟୀ ବାସିନ୍ଦା ଶ୍ରୀ ମାଝୀ ତୃଣମୂଳ ସ୍ତରରୁ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ଦଳ ବ୍ୟତିରେକ ସେ ନର୍ଲା ବ୍ଳକ ଆଦିବାସୀ ସଂଘ ସଭାପତି ଥିବା ସହ ଅନେକ ସାମାଜିକ ସଂଗଠନ ସହ ଜଡ଼ିତ ହୋଇ ସମାଜସେବାକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରିଛନ୍ତି। ତେବେ ଏହି ଗୁରୁ ଦାଇତ୍ୱ ପ୍ରଦାନ କରିଥିବାରୁ ସେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ଦିଶାରୀ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଅବିନାଶ ଠାକୁରଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ ଦଳୀୟ କର୍ମକର୍ତ୍ତାଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଜୁ ଯୁବ ଜନତା ଦଳର କଳାହାଣ୍ଡି ଜିଲ୍ଲା ଉପସଭାପତି ଭାବେ ହରିଶଙ୍କରଙ୍କୁ ମନୋନୀତ କରାଯାଇଥିବାରୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହା ସହ ନୂତନ ପଦବୀ ପାଇଁ ଶ୍ରୀ ମାଝୀଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.