ଶିଶୁଙ୍କୁ ଗଢ଼ିବାକୁ ସମୟ, ଧୈର୍ଯ୍ୟ ଓ ସହନଶୀଳତା ଭଳି କଳା କୁଶଳତା ଆବଶ୍ୟକ

ଶିଶୁ ଦିବସ ଅବସରରେ ଶିଶୁ ମେଳା ଓ ଶିଶୁ ଅଧିକାର କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଶିଶୁଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହିତ ସେମାନଙ୍କୁ ଶିକ୍ଷା ଓ ସଂସ୍କାର ଜରିଆରେ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବା ଆଜି ସମାଜ ପାଇଁ ଏକ ଆହ୍ବାନ ଭାବେ ଉଭା ହୋଇଛି। ମାଟି ପିଣ୍ଡୁଳାକୁ ଏକ ସୁନ୍ଦର, ମନୋରମ ଓ ପ୍ରାଣ ସଂଚରିଣୀ ପ୍ରତିମୂର୍ତ୍ତିର ସ୍ୱରୂପ ଦେବାକୁ ଯେଉଁ ସମୟ, ଧୈର୍ଯ୍ୟ ଓ ସହନଶୀଳତା ଭଳି କଳା କୁଶଳତା ଆବଶ୍ୟକ ଠିକ ସେମିତି ଆଜିର ଶିଶୁମାନଙ୍କୁ ସେଭଳି ଢଙ୍ଗରେ ଗଢ଼ିତୋଳିଲେ ସେମାନଙ୍କ ଆଗାମୀ ଭବିଷ୍ୟତ ନିଶ୍ଚିତ ଭାବରେ ଗାରିମାମୟ ସୂର୍ଯ୍ୟ ସମ ଉକୁଟିତ ହେବ ବୋଲି ଆଜି ମହାବୀର ମହୋତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହାବୀର ସାଂସ୍କୃତିକ ଅନୁଷ୍ଠାନର ୬୨ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ମହାବୀର ମହୋତ୍ସବ-୨୦୨୬ର ଉଦଯାପନୀ ଦିବସରେ ସ୍ବେଛାସେବୀ ସଂଗଠନ କଳିଙ୍ଗକୁସୁମ ଫାଉଣ୍ଡେସନ ଓ ୟୁଟିଆ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଶିଶୁ ଦିବସ ପାଳନ ସହିତ ଶିଶୁମେଳା ଓ ଶିଶୁ ଅଧିକାର କର୍ମଶାଳା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂଜାର୍ଚ୍ଚନା ସହିତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ତୈଳଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ଉପସଭାପତି ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ୟୁଟିଆ ଶିକ୍ଷକ ସଂଘ କଳାହାଣ୍ଡି ଶାଖାର ସଭାପତି ପ୍ରଦୀପ କୁମାର ପଣ୍ଡା, ସଂପାଦକ ଅମରେଶ ନେଗୀ, ଅନୁଷ୍ଠାନର ବରିଷ୍ଠ ସଭ୍ୟ ସନ୍ତୋଷ କୁମାର ପଣ୍ଡା, ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ। ସଞ୍ଜୀବ କୁମାର ସିଂହ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲରୁ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.