ନେବୁଲାଇଜର୍‌ରେ ଇନ୍‌ସୁଲିନ୍‌ ଦେବାର ନୂଆ ପଦ୍ଧତି ଉଦ୍ଭାବନ କଲେ ଓଡ଼ିଆ ଡାକ୍ତର

ଡା. ପି.କେ. ନନ୍ଦଙ୍କ ଅଭିନବ ଉଦ୍ୟମ; ବିଶ୍ୱ ମଧୁମେହ ଚିକିତ୍ସା କ୍ଷେତ୍ରରେ ନୂଆ ସମ୍ଭାବନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମଧୁମେହ ରୋଗୀଙ୍କୁ ଇନ୍‌ସୁଲିନ୍‌ ଦେବା ପାଇଁ ଆଉ ଇଞ୍ଜେକ୍‌ସନ୍‌ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଇଞ୍ଜେକ୍‌ସନ୍‌ ବଦଳରେ ନେବୁଲାଇଜର୍‌ ଜରିଆରେ ଇନ୍‌ସୁଲିନ୍‌ ପ୍ରଦାନ କରିବାର ଏକ ନୂତନ ପଦ୍ଧତି ଉଦ୍ଭାବନ କରିଛନ୍ତି ଓଡ଼ିଆ ଡାକ୍ତର ଡା. ପି.କେ. ନନ୍ଦ। ବିଶ୍ୱ ମଧୁମେହ ଦିବସ ଅବସରରେ ଶନିବାର ବାଲେଶ୍ୱରର ଓଟି ରୋଡ୍‌ସ୍ଥିତ ହୋଟେଲ ଜାଇକାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜର ଏହି ଗବେଷଣାର ଲାଇଭ୍‌ ଡେମୋ ପ୍ରଦର୍ଶନ କରିଛନ୍ତି। ଡା. ନନ୍ଦଙ୍କ ଏହି ଉଦ୍ୟମ ମଧୁମେହ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ବିଶେଷକରି ଟାଇପ୍‌-୧ ମଧୁମେହ ରୋଗୀଙ୍କ ପାଇଁ ଇନ୍‌ସୁଲିନ୍‌ ଜୀବନବ୍ୟାପୀ ଅପରିହାର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ନିୟମିତ ଇଞ୍ଜେକ୍‌ସନ୍‌ ନେବାକୁ ପଡ଼ିଥାଏ। ଦିନକୁ ଏକାଧିକ ଥର ଇନ୍‌ସୁଲିନ୍‌ ନେବାର ଆବଶ୍ୟକତା ମଧ୍ୟ ରହିଥାଏ। ଏହା ରୋଗୀଙ୍କ ପାଇଁ ଶାରୀରିକ ଓ ମାନସିକ ଭାବେ ଅସୁବିଧାଜନକ ହୋଇଥାଏ। ଇନ୍‌ସୁଲିନ୍‌ର ଆବିଷ୍କାର ପରଠାରୁ ଶତାଧିକ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ପ୍ରମୁଖ ପ୍ରଦାନ ପଦ୍ଧତି ଇଞ୍ଜେକ୍‌ସନ୍‌ ହିଁ ରହିଆସିଛି। ଇନ୍‌ସୁଲିନ୍‌କୁ ମୁଖ୍ୟତଃ ଇଞ୍ଜେକ୍‌ସନ୍‌ ବ୍ୟତୀତ ଅନ୍ୟ ସହଜ ଉପାୟରେ ଦେବା ପାଇଁ ବିଶ୍ୱସ୍ତରରେ ଦୀର୍ଘଦିନ ଧରି ଗବେଷଣା ଚାଲିଥିବାବେଳେ ଡା. ନନ୍ଦ ନେବୁଲାଇଜର୍‌ ଜରିଆରେ ଏହା ପ୍ରଦାନ କରିବାର ଏକ ନୂତନ ପଦ୍ଧତି ଉପସ୍ଥାପନ କରିଛନ୍ତି। ସାଧାରଣତଃ ଆଜ୍‌ମା, ଶ୍ୱାସରୋଗ ଓ ସିଓପିଡି ଭଳି ଶ୍ୱାସଜନିତ ରୋଗରେ ଔଷଧ ପ୍ରଦାନ ପାଇଁ ନେବୁଲାଇଜର୍‌ ବ୍ୟବହାର କରାଯାଇଥାଏ। ଏହି ସାଧାରଣ ଚିକିତ୍ସା ଉପକରଣକୁ ଇନ୍‌ସୁଲିନ୍‌ ପ୍ରଦାନରେ ବ୍ୟବହାର କରିବାର ଧାରଣା ହିଁ ତାଙ୍କ ଆବିଷ୍କାରର ମୁଖ୍ୟ ନୂତନତ୍ୱ ବୋଲି ସେ କହିଛନ୍ତି। ଡା. ନନ୍ଦଙ୍କ କହିବା ଅନୁଯାୟୀ, ସେ କେବଳ ଗୋଟିଏ ନୁହେଁ, ଇଞ୍ଜେକ୍‌ସନ୍‌ ବିନା ଇନ୍‌ସୁଲିନ୍‌ ପ୍ରଦାନ ପାଇଁ ତିନୋଟି ପଦ୍ଧତିର ପରିକଳ୍ପନା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ପଦ୍ଧତିର ଲାଇଭ୍‌ ଡେମୋ ସାମ୍ବାଦିକ ଓ ବିଶେଷଜ୍ଞ ଡାକ୍ତରମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଭବିଷ୍ୟତରେ ଏହି ପଦ୍ଧତି ଟାବଲେଟ୍‌, କ୍ୟାପ୍‌ସୁଲ୍‌ ଓ ତରଳ ଔଷଧ ଆକାରରେ ଇନ୍‌ସୁଲିନ୍‌ ପ୍ରଦାନର ସମ୍ଭାବନା ମଧ୍ୟ ସୃଷ୍ଟି କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ଡା. ନନ୍ଦ ନିଜର ଏହି ଉଦ୍ଭାବନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ବର୍ତ୍ତମାନ ପ୍ରାରମ୍ଭିକ ଗବେଷଣା ଓ ପ୍ରାମାଣିକତାର ପର୍ଯ୍ୟାୟରେ ରହିଛି। ଏହାର ସୁରକ୍ଷା, ଫଳପ୍ରଦତା ଓ ରୋଗୀଙ୍କ ଉପରେ ପ୍ରଭାବ ସମ୍ପର୍କରେ ବ୍ୟାପକ ବୈଜ୍ଞାନିକ ଗବେଷଣା ଓ କ୍ଲିନିକାଲ୍‌ ପରୀକ୍ଷଣ ଆବଶ୍ୟକ। ଏହି ସବୁ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ ହିଁ ଏହାକୁ ରୋଗୀଙ୍କ ଚିକିତ୍ସାରେ ପ୍ରଚଳନ କରାଯାଇପାରିବ। ଏହି ଗବେଷଣାକୁ ଆଗକୁ ନେବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଓ ଏମ୍ସ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହଯୋଗ କରିବେ ବୋଲି ଡା. ନନ୍ଦ ଆଶା ପ୍ରକାଶ କରିଛନ୍ତି। ତାଙ୍କର ଏହି ଉଦ୍ୟମ ସଫଳ ହେଲେ ମଧୁମେହ ରୋଗୀଙ୍କ ଦୈନନ୍ଦିନ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ବିଶେଷକରି ନିୟମିତ ଇନ୍‌ସୁଲିନ୍‌ ନେବାକୁ ବାଧ୍ୟ ରୋଗୀଙ୍କ ପାଇଁ ଏହା ଏକ ସହଜ ଓ ବିକଳ୍ପ ଚିକିତ୍ସା ପଦ୍ଧତିର ଦ୍ୱାର ଖୋଲିପାରେ। ଏବେ ଏହି ନୂତନ ପରିକଳ୍ପନାର ବୈଜ୍ଞାନିକ ପ୍ରମାଣୀକରଣ ଓ ପରବର୍ତ୍ତୀ ଗବେଷଣା ଉପରେ ସମସ୍ତଙ୍କ ନଜର ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.