ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହେଲା ପଣ୍ଡିତ ନେହେରୁଙ୍କ ୧୩୭ତମ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଆଧୁନିକ ଭାରତର ନିର୍ମାତା ଭାରତରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ତମ ଜୟନ୍ତୀ ଶନିବାର ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଯୁବ, ଛାତ୍ର ଓ ମହିଳା କଂଗ୍ରେସର କର୍ମୀମାନେ ଉପସ୍ଥିତ ରହି ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସ୍ମୃତିଚାରଣ ସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସଞ୍ଜିବ କୁମାର ଗିରି, ପୂର୍ବତନ ରେମୁଣା ବିଧାୟକ ସୁଦର୍ଶନ ଜେନା, ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉର୍ମିଳା ମାଝୀ, ପ୍ରଦେଶ ମହିଳା କଂଗ୍ରେସ ନେତ୍ରୀ ବାସନ୍ତୀ ସାମଲ, ଜିଲ୍ଲା କଂଗ୍ରେସ ଉପସଭାପତି ତଥା ସଦର କଂଗ୍ରେସ ନେତା ସରୋଜ କୁମାର ଲେଙ୍କା, ଗୌତମ ସାହୁ, ଏସ୍‌ସି ସେଲ୍‌ର ଜିଲ୍ଲା ସଭାପତି ବିଧାନ ଜେନା, ଜ୍ୟୋତ୍ସ୍ନା ସେନାପତି, ପ୍ରତିମା ପଣ୍ଡା, ଜିଲ୍ଲା କଂଗ୍ରେସ ସମ୍ପାଦକ ଶ୍ରୀକାନ୍ତ ବୁଗୁଡ଼ାଇ, ଟାଉନ୍‌ କଂଗ୍ରେସ ସଭାପତି ଅନୁପ କୁମାର ସ୍ୱାଇଁ, ସେବାଦଳ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସମବାୟ ସେଲ୍‌ ଅଧ୍ୟକ୍ଷ ନିରଞ୍ଜନ ବେହେରା, ପଶୁପତି ଉପାଧ୍ୟାୟ, ବିନତୀ ବାରିକ, କୁମୁଦିନୀ ଦାସ ଓ କହ୍ନେଇ ଚରଣ ବେହେରା ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ଆଧୁନିକ ଭାରତର ନିର୍ମାଣ, ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ଓ ଦେଶର ବିକାଶରେ ପଣ୍ଡିତ ନେହେରୁଙ୍କ ଅବଦାନ ଅବିସ୍ମରଣୀୟ। ଦେଶ ଓ ଦେଶବାସୀଙ୍କ ପାଇଁ ତାଙ୍କର ତ୍ୟାଗ, ଦୂରଦୃଷ୍ଟି ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.