ଡିଏଭି ବେଦାନ୍ତ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହେଲା ଶିଶୁ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିକଟସ୍ଥ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଶନିବାର ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଭୁଜବଳ ପୁଷ୍ପମାଲ୍ୟାର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବଟିର ଶୁଭାରମ୍ଭ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଭୁଜବଳ ଦେଶର ଶିଶୁ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅଖଣ୍ଡ ଆସ୍ଥା ପ୍ରକଟ କରି ଶିଶୁମାନଙ୍କୁ ଭବିଷ୍ୟତ ଭାରତର ନବ ନିର୍ମାତା ରୂପେ ଅଭିହିତ କରିଥିଲେ।
ଏହି ଉତ୍ସବରେ ବେଦାନ୍ତ କମ୍ପାନୀର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ସିଏଫଓ ପିୟୁଷ ଲୁନାୱାତ, ସିଏସଆର ମୁଖ୍ୟ ଶିଶିର ତରଫଦାର ଯୋଗ ଦେଇଥିଲେ। ଏହି ଦିବସରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ନିର୍ମିତ ୩୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓଡ଼ିଆ, ହିନ୍ଦୀ, ଇଂରାଜୀ, କ୍ରୀଡ଼ା, କଳା ଏବଂ ହସ୍ତକଳା ଆଦି ବିଷୟରେ ଉଚ୍ଚସ୍ତରୀୟ ତଥା ଉନ୍ନତମାନର ଥିବାରୁ ପାରିପାର୍ଶ୍ୱିକ ଲୋକମାନଙ୍କୁ ଚକିତ କରିବା ସହ ବହୁ ପ୍ରଶଂସାର ପାତ୍ର ହୋଇଥିଲା। ପୁଣି ଉକ୍ତ ଦିବସରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆୟୋଜିତ ସ୍ୱାଦିଷ୍ଟ ବ୍ୟଞ୍ଜନର ଆନନ୍ଦ ନେଇଥିଲେ। ଏହାପରେ ଅଗ୍ନି, ଆକାଶ,ମୈତ୍ରୀ ଓ ପୃଥ୍ଵୀ ହାଉସର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଇଣ୍ଟର ହାଉସ ନୃତ୍ୟ ପ୍ରତିଯୋଗିତା ଦର୍ଶକ ମଣ୍ଡଳୀ ପାଇଁ ଖୁବ୍ ରୋମାଞ୍ଚ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମ ପରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ନିଜସ୍ୱ ପ୍ରତିଭା ଅନୁଯାୟୀ ନୃତ୍ୟ, ଗୀତ, ହାସ୍ୟ କଥା ପ୍ରଦର୍ଶନ ସହ ଆକର୍ଷଣୀୟ ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା କରାଯାଇଥିଲା। ଶିକ୍ଷକ ରବି ନାରାୟଣ ବେହେରା ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପୂର୍ଣ୍ଣ ଦିବସଟି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ମନୋରଞ୍ଜନ, ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି କରିଥିଲା। ସେହିପରି ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହ ସହ ଅନୁଷ୍ଠିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.