ଓଡ଼ିଆ ବାର୍ତ୍ତା/ ରାୟଗଡ଼ (ପଦ୍ମନ ଭତ୍ରା): ସୂଚନା ଓ ଲୋକ ସମ୍ପର୍କ ବିଭାଗ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନ ଦୁଇଦିନିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି | ସେ ବିଭାଗୀୟ କାର୍ଯ୍ୟକଳାପ, କାର୍ଯ୍ୟାଳୟ ପରିଚାଳନା ଓ ସୂଚନା କେନ୍ଦ୍ରର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି । ଗସ୍ତର ପ୍ରଥମ ଦିନ ଶ୍ରୀ ପ୍ରଧାନ ଗୁଣପୁରସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ଏହି ଅବସରରେ ପାଠାଗାରରେ ଉପଲବ୍ଧ ପୁସ୍ତକ,ଖବରକାଗଜ, ପତ୍ରପତ୍ରିକା ଏବଂ ପାଠକମାନଙ୍କ ସଦସ୍ୟତା ସମ୍ପର୍କିତ ରେକର୍ଡ ଯାଞ୍ଚ କରିଥିଲେ । ପାଠାଗାରର ସୁପରିଚାଳନା, ସାଜସଜ୍ଜା ଏବଂ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମନ୍ତେ ଯୁବପିଢ଼ିଙ୍କ ପ୍ରସ୍ତୁତି ପାଇଁ ରହିଥିବା ସୁବିଧା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ । ପାଠାଗାରକୁ ଅଧିକ ଜନ ଉପଯୋଗୀ ଓ ଯୁବବର୍ଗଙ୍କ ପାଇଁ ଅନୁକୂଳ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଇଣ୍ଟରନେଟ୍ ଓ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ସେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଗୁଣପୁରର ସାମ୍ବାଦିକମାନେ ଉପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ପାଠାଗାର ନିକଟରେ ଏକ ସଭାଗୃହ ନିର୍ମାଣ, ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ସମେତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ଶ୍ରୀ ପ୍ରଧାନ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲୀପଙ୍କ ସହ ସାକ୍ଷାତ କରି ସୂଚନା କେନ୍ଦ୍ର ସମ୍ପର୍କିତ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ନିମନ୍ତେ ଅନୁରୋଧ କରିଥିଲେ । ଗସ୍ତର ଦ୍ୱିତୀୟ ଦିନ ଉପ ନିର୍ଦ୍ଦେଶକ ରାୟଗଡ଼ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ବିଭାଗୀୟ ରେକର୍ଡ ଓ ଦସ୍ତାବିଜ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ବିଭାଗୀୟ ରେଜିଷ୍ଟର,ଷ୍ଟାମ୍ପ ହିସାବ, ଲଗ୍ ବୁକ୍, ପିଅନ ବୁକ୍, ଆର୍ଥିକ ହିସାବପତ୍ର, କର୍ମଚାରୀଙ୍କ କାର୍ଯ୍ୟସ୍ଥିତି, ଇନ୍କ୍ରିମେଣ୍ଟ ରେଜିଷ୍ଟର, ସର୍ଭିସ୍ ବୁକ୍, ପେନ୍ସନ୍ ମାମଲା, ବିଲ୍ ରେଜିଷ୍ଟର, ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା, କ୍ୟାଶ୍ ବୁକ୍ ଏବଂ ବିଭାଗର ଅଡିଓ-ଭିଜୁଆଲ୍ ଉପକରଣ ଆଦିର ଯାଞ୍ଚ କରିଥିଲେ । କାର୍ଯ୍ୟାଳୟର ଦୈନନ୍ଦିନ ପରିଚାଳନା, ରେକର୍ଡ ସଂରକ୍ଷଣ ଓ ପ୍ରଶାସନିକ କାର୍ଯ୍ୟର ସୁବ୍ୟବସ୍ଥା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଯାଞ୍ଚ କାର୍ଯ୍ୟ ସମାପ୍ତ ପରେ ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ତଥା ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜଳନ୍ଧର ପୁଷିକା,ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ସୁସ୍ମିତା ବାଉରୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରାଙ୍କ ସମେତ ସଂସ୍କୃତି ବିଭାଗ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ଉପସ୍ଥିତଥିଲେ ।





