ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକସଭାରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ବର ଗୁଞ୍ଜରିତ ହେବାକୁ ଲାଗିଛି। ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟକୁ ବିଜେପି ପକ୍ଷରୁ ତିବ୍ର ସମାଲୋଚନା କରାଯାଇ କଂଗ୍ରେସ ସଭାପତି କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି। ଗତକାଲି ଅଧିର ରଞ୍ଜନଙ୍କ ମନ୍ତବ୍ୟପରେ ଲୋକସଭା ଗୃହରେ ହୋହାଲ୍ଲା ହେବାରୁ ସଭା କାର୍ଯ୍ୟ ଦିନକ ପାଇଁ ମୁଲତବୀ ରହିଥିଲା। ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ନିଜ ନିଜ ଜିଦରେ ଅଟଳ ରହି ସଭା କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ଆଜି ନର୍ଲା ବ୍ଲକ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ ସହ କଂଗ୍ରେସ ସାଂସଦ ଅଧିର ରଞ୍ଜନଙ୍କ ସମେତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। କାର୍ଯ୍ୟକ୍ରମରେ ନର୍ଲା ମଣ୍ଡଳ ବିଜେପି ସଭାପତି ପଦ୍ମଲୋଚନ ଜାଲ, କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନଙ୍କ ସହ ସରୋଜ ବୁଦ୍ଧିଆ, ଅଭୟ ନାଏକ, ସଞ୍ଜୟ ନାଏକ, ଲକ୍ଷ୍ମଣ ଦୀପ, ଅଶୋକ ସାହୁ, ଭବାନୀ ସାହୁ, ଅଜୟ ନନ୍ଦ, ରୁଦ୍ରାକ୍ଷ ସାହୁ, ବିଜୟ ପଧାନ, ହୃଷିକେଶ ବୁଦ୍ଧିଆ, ଦଶରଥ ସାହୁ ପ୍ରମୁଖ ଉପସ୍ଥିତ ରହି ଅଧିର ରଞ୍ଜନ ମହାମହିମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିଥିବାରୁ ଏହି ବକ୍ତବ୍ୟର ତୀବ୍ର ସମାଲୋଚନା କରିବା ସହ ସୋନିଆ ଓ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବୀ କରିଥିଲେ।