କଳିଙ୍ଗ ଗଡ଼ର କନିଷ୍ଠ ଯୋଦ୍ଧା ବାଜି ରାଉତ

✍🏼ବିଶ୍ବବିଜୟୀ ଦାଶ

ଭାରତବର୍ଷକୁ ସ୍ବାଧିନ କରିବା ପାଇଁ ଯେଉଁ ବୀର ବିପ୍ଲବୀ ଗଣ ଭାରତୀୟ ସ୍ବାଧିନତା ଆନ୍ଦୋଳନରେ ନିଜକୁ ସଂପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ ସେହି ମାନଙ୍କ ମଧ୍ୟରେ ଭାରତର କନିଷ୍ଠ ସ୍ବାଧିତନା ସଂଗ୍ରାମୀ ହେଉଛନ୍ତି ବାଜି ରାଉତ । ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ବାଜି ରାଉତ ଓଡ଼ିଶାର ଢ଼େଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗ୍ରାମରେ ଜନ୍ମ ନେଇଥିଲେ । ପିଲାଟି ବେଳୁ ବାପାଙ୍କୁ ହରାଇ ସେ, ମାଆ ଦ୍ବାରା ପ୍ରତିପାଳିତ ହୋଇଥିଲେ । ହେତୁ ପାଇବା ପରେ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରକୁ ଅନୁଭବ କରିପାରିଥିଲେ । ଅତି କୋମଳ ବୟସରୁ ବାଜିଆ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମଣ୍ଡଳରେ ସାମିଲ ହୋଇଥିଲେ । ମୋଗଲବନ୍ଦୀ ଅଞ୍ଚଳରେ ଜମିଦାର ଓ ଗଡଜାତ ଅଞ୍ଚଳରେ ରାଜା ଶାସନ ନାମରେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଶୋଷଣ, ବେଠି, ବେଗାରି, ଜୋର ଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମାରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇ ବିସ୍ଫୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାକୁ କଳେବଳେ କୌଶଳେ ଦମନ କରିବାରେ ଲାଗିଥିଲେ । ଏହି ସବୁ ଗଡଜାତ ହେଉଥିବା ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା ।

ସେଦିନ ଥିଲା ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଥିଲେ । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ବେ ବାଜି ରାଉତ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ । ପୋଲିସର ଧମକ ଚମକ ପରେ ମଧ୍ୟ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କଲେ । ଏହା ପରେ ଡଙ୍ଗା ମଝି ନଈ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କରିଥିଲେ । ଏହା ଯୋଗୁଁ ୭ ଜଣ ଶହୀଦ ହୋଇଗଲେ । ସେହି କଳିଙ୍ଗ ଗଡ଼ର କନିଷ୍ଠ ଯୋଦ୍ଧା ଓଡ଼ିଆ ଜାତିର ପ୍ରାଣ ରକ୍ଷା କରିବାକୁ ଯାଇ ଆଜିର ଦିନରେ ସହିଦ୍ ହୋଇଗଲେ ।

ସର୍ବ କନିଷ୍ଠ ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡଜାତର ସୂର୍ଯ୍ୟ । ପଙ୍କରୁ ପଦ୍ମ ଜନ୍ମ ନେଲା ପରି ଏକ ଅନ୍ଧାରୀ ମୁଲକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସାରା ଜାତି ଓ ନିଜର ଜନ୍ମଭୁମି ପାଇଁ ଜୀବନ ଉତ୍ସର୍ଗ କରି ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏକ ପ୍ରେରଣାର ଉତ୍ସ ହୋଇ ରହିଗଲେ ।

ସେଦିନ ଚିତାଗ୍ନି ପାଖରେ ଥାଇ କବି ସଚ୍ଚି ରାଉତରାୟ ଗାଇ ଉଠିଲେ –
“ନୁହେଁ ବନ୍ଧୁ ନୁହେଁ ଏହା ଚିତା ଏ ଜାତି ତିମିର ତଳେ ଏ ଅଲିଭା ମୁକତି ସଳିତା ନୁହେଁ ଏହା ଜଳି ଯିବା ପାଇଁ ଏହାର ଜନମ ଏଥି ଜାଳି ପୋଡି ଦେବାରୁ ଧସାଇ………… ।” ସେହି ବୀର ବିପ୍ଲବୀ ବାଜି ରାଉତଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ ।

ଯୁବ ସ୍ତମ୍ଭକାର
ବାଣପୁର, ଖୋର୍ଦ୍ଧା
ପିନ୍ – ୭୫୨୦୩୫
ମୋବାଇଲ: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.