କୁମ୍ଭାର ଯୁବା ମଞ୍ଚ ଓଡିଶା ତରଫରୁ ଅସହାୟ ଝିଅକୁ ଟେଲର ମସିନ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଗୋଲାମୁଣ୍ଡା (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ପଞ୍ଚାୟତ ଘୁଟିଆ ଗାଁର କାଞ୍ଚନ ରଣାଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ଓ ୩ ଛୁଆ ଅନେକ ସମସ୍ୟା ଦେଇ ଜୀବନ ଯାପନ କରୁଛନ୍ତି । ତାଙ୍କର ବଡ ଝିଅ ଲବଣି ରଣା ଏହି ବର୍ଷ ମାଟ୍ରିକରେ ଭଲ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ହେଲେ ଆର୍ଥିକ ଅସୁବିଧା ହେତୁ ଆଗକୁ ଆଉ ପଢିଲେ ନାହିଁ ।‌ ତାଙ୍କୁ ଗୋଟିଏ ଟେଲର ମସିନ ଦେଲେ ସେ ନିଜେ ସ୍ୱାବଲମ୍ବୀ ହେଇପାରିବେ ବୋଲି ସ୍ବେଛାସେବୀ ଯଶୋବନ୍ତ ରଣାଙ୍କୁ ଲବଣି ଜଣେଇଥିଲେ । ଏହା ଜାଣିବା ପରେ ଯଶୋବନ୍ତ ରଣା କୁମ୍ଭାର ଯୁବା ମଞ୍ଚ ଓଡିଶାର ସଭାପତି ସୁବୋଧ ରଣା ଓ ସମ୍ପାଦକ ପ୍ରଶାନ୍ତ ରଣାଙ୍କୁ ଜଣେଇଥିଲେ । ସମସ୍ତଙ୍କ ନିଷ୍ପତି କ୍ରମେ ଲବଣିଙ୍କୁ ଏକ ଟେଲର ମସିନ ଦେବାକୁ ସ୍ଥିର ହେଲା । ଏହାପରେ ଆଜି ଯଶୋବନ୍ତ ରଣାଙ୍କ ନେତୃତ୍ୱରେ ମୃତୁଞ୍ଜୟ ରଣା, ଖମାରହଳଦୀ ସରପଞ୍ଚ ଦିନେଶ ରାଉତ ପ୍ରମୁଖ ଉପସ୍ଥିତ ରହି ଲବଣିଙ୍କୁ ଏକ ଟେଲର ମସିନ ପ୍ରଦାନ କରିଛନ୍ତି । ସରପଞ୍ଚ ମଧ୍ୟ ସେମାନଙ୍କ ଅସୁବିଧା ଦେଖି କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଯୁବା ମଞ୍ଚର ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.