କଳାହାଣ୍ଡି ଗବେଷକ ସମ୍ମାନ-୨୦୨୩ରେ ସମ୍ମାନିତ ହେଲେ ଡ଼ଃ ଅଜିତ ବେହେରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ରାଜ୍ୟସ୍ତରୀୟ କଳାରୁଦ୍ର ଲୋକମହୋତ୍ସବ ଅବସରରେ ‘କଳାହାଣ୍ଡି ଗବେଷକ ସମ୍ମାନ-୨୦୨୩’ରେ ସମ୍ବର୍ଦ୍ଧିତ ହୋଇଛନ୍ତି ଅଧ୍ୟାପକ ଡ଼ଃ ଅଜିତ କୁମାର ବେହେରା। କଶୃପଡା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଡ଼ଃ ବେହେରା କଳାହାଣ୍ଡିର ଜଣେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଭାବେ ସୁପରିଚିତ। ସେ ତରୁଣ ବୟସରୁ ସାହିତ୍ୟ ସାଧନାରେ ନିମଜ୍ଜିତ ରହି କବିତା, ଗଳ୍ପ ଓ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦିତ କରିଛନ୍ତି। ଆଦିବାସୀଙ୍କ ଲୁପ୍ତପ୍ରାୟ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ଲୋକଲୋଚନକୁ ଆଣିବାରେ ଡ଼ଃ ବେହେରାଙ୍କ ଅବଦାନ ଅତୁଳନୀୟ। ସେ ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ‘କଳାହାଣ୍ଡିର ଲୋକଦେବତା’ ରେ ପି.ଏଚ୍.ଡି. ଓ ‘କନ୍ଧ ସଂସ୍କୃତି’ ଊପରେ ଡି.ଲିଟ୍ ଡିଗ୍ରୀ ସହିତ ଭାରତ ସରକାରଙ୍କ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରୁ ଜୁନିଅର ଫେଲୋସିପ ପାଇ ସୁନାମ ଅର୍ଜନ କରିଛନ୍ତି। ଏଯାବତ୍ ତାଙ୍କର କବିତା ସଙ୍କଳନ ‘ତୁମେ’ ଓ ଗବେଷଣାମୂଳକ ପୁସ୍ତକ ‘କଳାହାଣ୍ଡିର ଲୋକବିଶ୍ୱାସ’ ପ୍ରକାଶିତ ହୋଇଥିବା ବେଳେ କନ୍ଧ ଲୋକଧାରା ଓ କନ୍ଧାନ ଭାଷା ଓ ସାହିତ୍ୟ ପ୍ରକାଶ ଅପେକ୍ଷାରେ ରହିଛି।

କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରୀପଡା ଠାରେ କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ ଲୋକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷେନ୍ଦ୍ର ସିଂହଦେଓ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ସତ୍ୟ ନାରାୟଣ ସାହୁ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, କବି ହେମନ୍ତ ସାହୁ ପ୍ରମୁଖ ଯୋଗଦେଇ ଡ଼ଃ ବେହେରାଙ୍କୁ ସମ୍ମାନିତ କରିଥିଲେ। ସନତ କୁମାର ସାହୁ ଓ ତ୍ରିଲୋଚନ ସାହୁ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.