ପିତୃ କାର୍ଯ୍ୟ ଠାରୁ ରାଜକାର୍ଯ୍ୟ ବଡ

ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ନିଜ ପିତାଙ୍କ ସମାଧି ଭାଙ୍ଗିବାକୁ ମଧ୍ୟ ପଛାଇ ନଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୭ ମସିହା ଏପ୍ରିଲ ୧୭ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ ବାବୁଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କୁ ପୁରୀର ସ୍ଵର୍ଗଦ୍ଵାରକୁ ଆଣି ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରା ଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରେ ବିଜୁ ବାବୁଙ୍କ ସମାଧି ନିର୍ମାଣ ହୋଇଥିଲା । ପିତାଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ନିତି ଆଦର୍ଶରେ ପରିଚାଳିତ ନୂତନ ଆଞ୍ଚଳିକ ଦଳ ବିଜେଡ଼ିର ମଙ୍ଗ ଧରି ସେ ଆଗେଇ ଚାଲିଲେ । ରାଜ୍ୟବାସୀଙ୍କ ଆନ୍ତରିକ ସମର୍ଥନ ଫଳରେ ସେ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି । ସ୍ବର୍ଗଦ୍ବାରରେ ବିଜୁ ବାବୁଙ୍କ ସମାଧି ପୀଠ ରହିଥିବାରୁ ତାହା ପ୍ରସ୍ତାବିତ ସୌନ୍ଦର୍ଯ୍ୟକରଣ ଯୋଜନା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ଏପଟେ ବିରୋଧିଦଳ ବିଜୁ ବାବୁଙ୍କ ସମାଧି ପୀଠକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଏସବୁକୁ ଦୃଷ୍ଟିରେ ରଖି ନିଜ ପିତା ତଥା ଓଡିଶା ଜନମାନସର ମହାନ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପିତୃ କାର୍ଯ୍ୟ ଠାରୁ ରାଜକାର୍ଯ୍ୟ ଆଗ ଏକଥା ପ୍ରମାଣିତ କରି ଦେଇଥିଲେ ନବୀନ । ବିଜୁ ବାବୁଙ୍କ ସମାଧିପୀଠ ଭାଙ୍ଗିବା ପରେ ବିଜୁ ପଟ୍ଟନାୟକଙ୍କୁ ଗଭୀର ଭାବେ ଭଲ ପାଉଥିବା ଲୋକମାନଙ୍କ ମନରେ କଷ୍ଟ ହୋଇଥିବା ଜଣାଯାଏ । ତେବେ ସାଧାରଣ ଜନତା ସର୍ବୋପରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ଏହାରି ଭିତରେ ଅନେକ ବର୍ଷ ବିତିଯିବା ପରେ ବର୍ତ୍ତମାନ ଏହି କଥା ପୁଣିଥରେ ସାମ୍ନାକୁ ଆସିଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସାରା ବିଶ୍ୱରେ ପ୍ରଶଂସନୀୟ । କେବଳ ନିଜ ରାଜ୍ୟ ଓଡିଶା ନୁହେଁ, ଦେଶ ତଥା ବିଦେଶରେ ମଧ୍ୟ ନବୀନଙ୍କ ବ୍ୟକ୍ତିତ୍ୱକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ତେବେ ଏମିତି ଏକ ଚର୍ଚ୍ଚା ନିକଟରେ ଦୁବାଇରେ ଓଡ଼ିଶା ଦିବସ ପାଳନ ଅବସରରେ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ସହ ୧୩ ବର୍ଷ କାଳ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିବା ଭି.କେ ପାଣ୍ଡିଆନ ଦୁବାଇରେ ଓଡ଼ିଆ ସମୁଦାୟକୁ ସମ୍ବୋଧିତ କରୁଥିବା ବେଳେ ଏହି କଥାକୁ ପ୍ରକାଶ କରିଥିଲେ । ଓଡିଶା ସରକାରଙ୍କ ଫାଇଭ୍-ଟି ସଚିବ ଭାବେ କାର୍ଯ୍ୟରତ ଭି.କେ ପାଣ୍ଡିଆନ କହିଥିଲେ ଯେ, ଥରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ଯୋଜନା ବିଷୟରେ କଥା ହେଉଥିଲି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଏକ ବ୍ଲୁ ପ୍ରିଣ୍ଟ ଦେଖାଇଥିଲି । ମାତ୍ର ବ୍ଲୁ ପ୍ରିଣ୍ଟରେ ଏକ କୋଣ ଅବରୋଧ ହୋଇଥିବା ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ କରିଥିଲେ ଏବଂ ଏହା କାହିଁକି ଅବରୋଧ ହୋଇଛି ବୋଲି ମତେ ପ୍ରଶ୍ନ କରିଥିଲେ । ଯାହା ପରେ ମୁଁ କହିଥିଲି ଯେ, ଏଠାରେ ଆପଣଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ରହିଛି । ତେଣୁ ଏହି କିଛି ଜାଗା ଏବେ ଅବରୋଧ ହୋଇ ରହିଛି । ମାତ୍ର ଏହା ପରେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପାଣ୍ଡିଆନଙ୍କ କହିବା ଅନୁଯାଇ, ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଉତ୍ତରରେ କହିଥିଲେ ଯେ, ‘ତାଙ୍କ ବାପା ଲୋକମାନଙ୍କ ହୃଦୟରେ ଅଛନ୍ତି, କୌଣସି ପଥରରେ ନୁହେଁ । ତେଣୁ ସମାଧି ସେଠାରୁ ହଟାଇ ଦିଅ । ଏହାଦ୍ୱାରା ଶ୍ମଶାନରେ ଅଧିକ ସ୍ଥାନ ସୃଷ୍ଟି କରାଯାଇ ପାରିବ ଏବଂ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟକରଣ ଅଭିଯାନ ସଠିକ୍ ଭାବେ ଚାଲିପାରିବ ।’ ଉଲ୍ଲେଖଥାଉ କି, ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାରର ପ୍ଲଟ ନମ୍ବର ୧୪୫୨ ଓ ୧୪୫୫ ମଧ୍ୟରେ ବିଜୁ ବାବୁଙ୍କର ସମାଧି କରାଯାଇଥିଲା । ଯାହାକୁ ଏକ ବୃହତ୍‌ ଅଂଶ ସରକାରଙ୍କ ଦଖଲରେ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ବିରୋଧୀ ପ୍ରଶ୍ନ ଉଠାଇ ଆସୁଥିଲେ । ତେବେ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ପରେ ବିରୋଧୀଙ୍କ ମୁହଁ ଚୁପ୍ ହୋଇଯାଇଥିଲା । ଏଥି ସହିତ କାମ ଆରମ୍ଭର ୬ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.