କେସିଙ୍ଗା-କଶୃପଡା ଆସୁଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ; ଜାଣନ୍ତୁ ତାରିଖ ଓ କାର୍ଯ୍ୟସୂଚୀ 

ଜଗତଗୁରୁ ଶ୍ରୀ ଶ୍ରୀ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଗମନକୁ ନେଇ ଆୟୋଜକଙ୍କ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ପୁରୀ ଗୋବର୍ଦ୍ଧନ ମଠର ପିଠାଧିଶ ଜଗତଗୁରୁ  ଶଙ୍କରାଚାର୍ଯ୍ୟ ଶ୍ରୀ ଶ୍ରୀ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କଶୃପଡା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ତାଙ୍କର କେସିଙ୍ଗା ଆଗମନ ନେଇ ସୂଚନା ଦେଇଛନ୍ତି ଆୟୋଜକ କମିଟି । ଏନେଇ କେସିଙ୍ଗା ଶ୍ୟାମଜି ରାଇସ ମିଲରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଆସନ୍ତା ମଇ ୨୮ ତାରିଖ ରବିବାର ଶଙ୍କରାଚାର୍ଯ୍ୟ ପୁରୀ-ଦୁର୍ଗ ଟ୍ରେନରେ ଟିଟଲାଗଡକୁ ଆସି ସଙ୍ଗେ ସଙ୍ଗେ ସଡ଼କ ପଥରେ ଆସି କେସିଙ୍ଗାରେ ପହଞ୍ଚିବେ । କେସିଙ୍ଗା ପହଞ୍ଚିବା ପରେ ୨୯ ତାରିଖ ସୋମବାର ପୂର୍ବାହ୍ନ ୧୧ ରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଶ୍ୟାମଜି ରାଇସ ମିଲ ପରିସରରେ ସଂଗୋଷ୍ଠୀ ଓ ସାଧାରଣ ଦର୍ଶନର କାର୍ଯ୍ୟକ୍ରମ ରହିବ । ଏହାପରେ ସେହି ଦିନ ଅପରାହ୍ନ ୪ ରୁ ୫ ଘଣ୍ଟା ମଧ୍ୟରେ କଶୃପଡା ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେଠାରୁ କେସିଙ୍ଗା ଫେରି ଶ୍ୟାମଜି ରାଇସ ମିଲରେ ରାତ୍ର ରହଣି କାର୍ଯ୍ୟକ୍ରମ ରହିଛି । ୩୦ ତାରିଖ ମଙ୍ଗଳବାର ଦିନ କେସିଙ୍ଗା ଶ୍ୟାମଜି ରାଇସ ମିଲ ଠାରେ ସଂଗୋଷ୍ଠୀ ଓ ସଭାର କାର୍ଯ୍ୟକ୍ରମ ରହିଛି । ଶେଷରେ ୩୦ ତାରିଖ ଦିନ କେସିଙ୍ଗା ରେଳ ଷ୍ଟେସନରୁ ଅହମଦାବାଦ-ପୁରୀ ଟ୍ରେନରେ ସ୍ବାମୀଜୀ ପୁରୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏହି  ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ପାଢ଼ୀ, ଗଜିନ୍ଦ୍ର ପାଢ଼ୀ, ସାମ୍ବାଦିକ ମହାସଂଘର ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ ଓ ଡମ୍ବରୁଧର ଭୋଇ, କେଶବ ଭୋଗି, ରମେଶ ଜେନା, ବିନୋଦ ଜୈନ, ମନୋଜ ସିଂ, ଗଜିନ୍ଦ୍ର ସାହୁ, ମନୋଜ ସିଂ, ପ୍ରେତେଶ ପଟେଲ, ଶିବ ପ୍ରସାଦ ସାହୁ, ସଂଗ୍ରାମ କେଶରୀ ଦେଓ, ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.