ଓଡିଶାର ଦୀପଗ୍ରେସ ୩ୟ ଭାରତୀୟ ମହିଳା ହକି ଖେଳାଳି ଭାବେ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଲେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:  ଆଡିଲେଡର ମେଟ ଷ୍ଟାଡିୟମରେ ଦୀପଗ୍ରେସ ଏକ୍କା ପାଦ ଦେବା ମାତ୍ରେ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଓଡିଶାର ଏହି ଷ୍ଟାର ମହିଳା ହକି ଖେଳାଳି ତୃତୀୟ ଭାରତୀୟ ଭାବେ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କ ପୂର୍ବରୁ ବନ୍ଦନା କାଟରିୟା (୨୮୪) ଓ ରାନୀ ରାମପାଲ ୨୫୪ ମ୍ୟାଚ ଖେଳିଛନ୍ତି । ସୁନ୍ଦରଗଡର ଲୁଲକିଡିହି ଗ୍ରାମର ଦୀପଗ୍ରେସ ୨୦୧୧ରେ ଆନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ । ସେ ୨ଥର ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଦୀପଗ୍ରେସଙ୍କ ପଛକୁ ସବିତା ପୁନିଆ ୨୪୭ ଓ ରିତୁ ରାନୀ ୨୪୦ ମ୍ୟାଚ ଖେଳିଛନ୍ତି । ଅର୍ଜୁନ ପୁରସ୍କାର ପ୍ରାପ୍ତ ଏହି ଖେଳାଳି ଏସିଆ କପ (୨୦୧୩, ୨୦୧୭), ଏସିଆନ ଚାମ୍ପିୟନ୍ସ ଟ୍ରଫି (୨୦୧୭, ୨୦୧୮), ଜାକର୍ତା ଏସିଆନ ଗେମ୍ସ ଓ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ରହିଛନ୍ତି । ଦେଶ ପାଇଁ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ମୋ ପାଇଁ ଗର୍ବର ବିଷୟ ବୋଲି ଦୀପଗ୍ରେସ କହିଛନ୍ତି । ପଦାର୍ପଣ ବେଳେ ମୁଁ ଭାବି ନ ଥିଲି ଏତେ ବାଟ ଆସିବି । ଭାରତୀୟ ଟିମ ସହିତ ମୋ ଯାତ୍ରା ଏ ଭଳି ରହିଥାଉ ବୋଲି ସେ କହିଛନ୍ତି । ହକି ଇଣ୍ଡିଆ, ହକି ଓଡିଶା ଓ ଓଡିଶା ସରକାରଙ୍କ ଯୋଗଦାନ ନେଇ ସେ ଧନ୍ୟବାଦ ଜଣାଇଛନ୍ତି । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ମଧ୍ୟ ଦୀପଗ୍ରେସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ଉପସ୍ଥିତିରେ ଭାରତର ମହିଳା ଟିମର କମ୍ବିନେଶନ ସନ୍ତୁଳିତ ରହୁଛି । ୧୨ ବର୍ଷ ଧରି ତାଙ୍କ ଯୋଗଦାନକୁ ଯେତେ ପ୍ରଶଂସା କରାଯିବ କମ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.