ୱେଷ୍ଟଇଣ୍ଡିଜ ବିଶ୍ୱକପ ଯୋଗ୍ୟତା ହାସଲ କରି ନ ପାରିବାର କ’ଣ ରହିଛି ପ୍ରକୃତ କାରଣ ?

୭୦ ଓ ୮୦ ଦଶକରେ ୱେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟର ଏକ ଶକ୍ତିଶାଳୀ ଟିମ ଭାବେ ଉଭା ହୋଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂରେ ସେମାନଙ୍କ ନିଆରା ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଇଂଲଣ୍ଡ, ଅଷ୍ଟ୍ରେଲିଆ ପରି ଟିମ ଟିମ କ୍ରିକେଟ ଖେଳୁଥିବା ବେଳେ ଏମାନେ ଏହାର ମଜା ଉଠାଉଥିଲେ । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା ୱେଷ୍ଟଇଣ୍ଡିଜ ୧୯୭୫ ଓ ୧୯୭୯ ଦିନିକିଆ ବିଶ୍ୱକପ ଜିତି ପ୍ରଭୂତ୍ୱ ବିସ୍ତାର କରିଥିଲା । ଏହା ବ୍ୟତୀତ ୱେଷ୍ଟଇଣ୍ଡିଜ ୨ ଥର ଟି୨୦ ବିଶ୍ୱକପ ମଧ୍ୟ ଜିତିଛି । ଏବେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଏହି ଟିମ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି । ଏପରିକି ଅପେକ୍ଷାକୃତ ଦୁର୍ବଳ ସ୍କଟଲାଣ୍ଡଠାରୁ ମଧ୍ୟ ଟିମ ହାରିଥିଲା । ଯିଏ କ୍ୟାରିବିୟାନ ଷ୍ଟାଇଲ କ୍ରିକେଟ ଦେଖିଛି ସେମାନଙ୍କ ପାଇଁ ଏହା ଶକ୍ତ ଧକ୍କା । ତେବେ ୱେଷ୍ଟଇଣ୍ଡିଜ କ୍ରିକେଟର ଅଧଃପତନର ପ୍ରକୃତ କାରଣ କଣ ରହିଛି ଆସନ୍ତୁ ତାହା ଜାଣିବା ।

୧୯୭୦ରେ ବାର୍ବଡୋସ, ଗୁୟାନା, ଆଂଟିଗୁଆ, ତ୍ରିନିଦାଦ ଆଣ୍ଡ ଟବାଗୋ ଏକତ୍ର ହୋଇ ଏକ ଶକ୍ତିଶାଳୀ ଟିମ ଗଠନ କରିଥିଲେ । ଜିତିବା ପାଇଁ ସେମାନଙ୍କ ମନରେ ଏକ ଉତ୍ସାହ ଥିଲା । ଧିରେ ଧିରେ ଏହି ଉତ୍ସାହ କମିବାରେ ଲାଗିଲା । କ୍ରିକେଟ ପ୍ରତି ଦାୟିତ୍ୱବୋଧ ମଧ୍ୟ କମିଥିଲା । ମଉଜ ମଜଲିସ ଓ ଅର୍ଥ ପ୍ରତି ଖେଳାଳିମାନେ ଅଧିକ ଗୁରୁତ୍ୱ ଦେଇଥିଲେ । ସେମାନେ କ୍ରିକେଟର ପ୍ରତି ଉତ୍ସର୍ଗରକୃତ ମନୋଭାବ ରଖି ନ ଥିଲେ । ନିର୍ଦ୍ଦିଷ୍ଟ ଏକ ଦେଶ ପାଇଁ ଖେଳୁ ନ ଥିବାରୁ ଏଥିପ୍ରତି ଦାୟିତ୍ୱ ମଧ୍ୟ ରହିଲା ନାହିଁ ।

୨୦୧୬ ପରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ
୨୦୧୭: ଚାମ୍ପିୟନ୍ସ ଟ୍ରଫି: ଯୋଗ୍ୟତା ହାସଲରେ ବିଫଳ
୨୦୧୯: ବିଶ୍ୱକପ: ପ୍ରଥମ ରାଉଣ୍ଡରୁ ବିଦା
୨୦୨୧: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ପ୍ରବେଶରେ ବିଫଳ
୨୦୨୧: ଟି୨୦ ବିଶ୍ୱକପ: ସୁପର ୧୨ରୁ ବିଦା
୨୦୨୨ : ଟି୨୦ ବିଶ୍ୱକପ: ସୁପର ୧୨ରେ ପଂହଚି ପାରିଲାନି
୨୦୨୩: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ପ୍ରବେଶରେ ବିଫଳ
୨୦୨୩: ବିଶ୍ୱକପ: କ୍ୱାଲିଫାଇଂ ରାଉଣ୍ଡରୁ ବିଦା

ଟି୨୦ କ୍ରିକେଟର ପ୍ରବେଶ ୱେଷ୍ଟଇଣ୍ଡିଜ କ୍ରିକେଟର ବିଶେଷ କ୍ଷତି ଘଟାଇଥିଲା । ଟେଷ୍ଟ ଏପରିକି ଦିନିକିଆ କ୍ରିକେଟ ପ୍ରତି ଖେଳାଳିମାନେ ବିମୁଖ ହେବାରେ ଲାଗିଲେ । ଆନ୍ଦ୍ରେ ରସେଲ, ସୁନୀଲ ନାରିନଙ୍କ ପରି ଖେଳାଳି କେବଳ ଏଥିପ୍ରତି ମନ ଦେଇଥିଲେ । ରାଜନୀତି ୱେଷ୍ଟଇଣ୍ଡିଜ କ୍ରିକେଟକୁ ନଷ୍ଟ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲା । କିରନ ପୋଲାର୍ଡ, ଡ୍ୱେନ ବ୍ରାଭୋଙ୍କ ପରି ଖେଳାଳି ତରବରିଆ ଭାବେ ରାଷ୍ଟ୍ରୀୟ ଟିମ ଛାଡି ଟି୨୦ ଲିଗ ପ୍ରତି ଧ୍ୟାନ ଦେଇଥିଲେ । ୱେଷ୍ଟଇଣ୍ଡିଜ ବୋର୍ଡ ଉପଯୁକ୍ତ ଅର୍ଥ ପ୍ରଦାନ କରି ନ ପାରିବାରୁ ଖେଳାଳିମାନେ ଦୂରେଇବାରେ ଲାଗିଥିଲେ ।

ଦିନିକିଆ ବିଶ୍ୱକପରେ ଟିମର ପ୍ରଦର୍ଶନ
୧୯୭୫: ବିଜେତା । ୧୯୭୯: ବିଜେତା
୧୯୮୩: ରନର୍ସଅପ । ୧୯୮୭:ପ୍ରଥମ ରାଉଣ୍ଡରୁ ବିଦା
୧୯୯୨:ପ୍ରଥମ ରାଉଣ୍ଡରୁ ବିଦା । ୧୯୯୬: ସେମିଫାଇନାଲ
୧୯୯୯: ପ୍ରଥମ ରାଉଣ୍ଡରୁ ବିଦା । ୨୦୦୩: ପ୍ରଥମ ରାଉଣ୍ଡରୁ ବିଦା
୨୦୦୭: ସୁପର ୮ରୁ ବିଦା । ୨୦୧୧: କ୍ୱାର୍ଟର ଫାଇନାଲ
୨୦୧୫: କ୍ୱାର୍ଟର ଫାଇନାଲ । ୨୦୧୯: ପ୍ରଥମ ରାଉଣ୍ଡରୁ ବିଦା

ଚୟନ କମିଟି ସେମାନଙ୍କ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରାଇଲେ । ପ୍ରତିଭାବାନ ଖେଳାଳି ଉପଯୁକ୍ତ ସୁଯୋଗ ପାଇପାରିଲେ ନାହିଁ । ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲା ପାଇଁ ଦଳରେ ଆନ୍ତର୍ଜାତୀୟସ୍ତରର ସ୍ପିନର ନ ଥିଲେ । ଅକୀଲ ହୁସେନ ପ୍ରଭାବ ଛାଡିବାରେ ବିଫଳ ହୋଇଥିବା ବେଳେ ଶିମରନ ହ୍ୱେଟମେୟର ଓ ଆନ୍ଦ୍ରେ ରସେଲ ପରି ଖେଳାଳିଙ୍କ ସହ ବୋର୍ଡ ଯୋଗାଯୋଗ କରି ନ ଥିଲା । ଟିମରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । କ୍ୱାଲିଫାୟର ମୁକାବିଲା ପୂର୍ବରୁ ୟୁଏଇ ବିପକ୍ଷରେ ୱେଷ୍ଟଇଣ୍ଡିଜ ୩ଟି ଦିନିକିଆ ମ୍ୟାଚ ଖେଳିଥିଲା । ଏହି ସିରିଜରେ ଖେଳି ନ ଥିବା ୬ଜଣ ଖେଳାଳିଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ସିଧାସଳଖ କ୍ୱାଲିଫାୟର୍ସ ମୁକାବିଲା ପାଇଁ ସାମିଲ କରାଯାଇଥିଲା । ସେମାନେ ସମ୍ପୂର୍ଣ୍ଣ ଭାବେ ନିରାଶ କରିଥିଲେ । ଭିଭିଆନ ରିଚାର୍ଡ୍ସଙ୍କ ଛାତିରେ ବଲ ମାରି କ୍ୟାଚ ଧରିବା । ଲ୍ୟାରୀ ଗୋମ୍ସଙ୍କ ମଜାକିଆ ଶୈଳୀ ଏବେ ମାର୍ଶଲ, ହୋଲ୍ଡିଂ, ଗାର୍ନର, ଆମ୍ବ୍ରେସ, ୱାଲଶ ଓ ବିଶପ ପରି ବୋଲରଙ୍କ ବୋଲିଂ ଯିଏ ଦେଖିଛି ସେ ନିଶ୍ଚିତ ଭାବେ ୱେଷ୍ଟଇଣ୍ଡିତ ବିଶ୍ୱକପ ନ ଖେଳିବା ନେଇ ଦୁଃଖ ପ୍ରକାଶ କରିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.